
ନିଜ କରମେ ତାଙ୍କରି ଭରସା,
ମୂର୍ତ୍ତି ଗଢିବା ତାଙ୍କରି ବେଉସା |
ପଥର ହେଉକି ହେଉ ମାଟିରେ ,
ସ୍ଥାନିତ ହୁଏ ପୂଜା ମଣ୍ଡପରେ |୧|
ଗଜାନନ ସିଏ ପାର୍ବତୀ ସୂତ,
ନରି ମଉସା ତାଙ୍କରି ଭକତ |
ପିଲାଟି ବେଳରୁ ମୂର୍ତ୍ତି ଗଢୁଛି,
ବୃଦ୍ଧ ବୟସେ ବି ସେ ନିଶା ଅଛି |୨|
ଲୋଚାକୋଚା ଚମ ଦେହ ଦୁର୍ବଳ,
ତଥାପି ବାନ୍ଧିଛି ମନରେ ବଳ|
କୋଟରାଗତ ସେ ଆଖିଯୋଡିକ,
ଲୁଚେଇ ରଖିଛି ଦୁଃଖ ଅନେକ |୩ |
ସ୍ୱାବଲମ୍ବୀ ହୋଇ କମାନ୍ତି ଧନ,
କୌଳିକବୃତ୍ତିରେ ବନ୍ଧା ଜୀବନ |
ଏ କର୍ମେ ତାଙ୍କ ଜୀବନ ସାର୍ଥକ,
ପ୍ରସ୍ତର ଗାତ୍ରେ ବିଘ୍ନ ବିନାଶକ |୪|
ନିରିମାଖି ଭାବର ପରକାଶ,
ଜୀବନ୍ତ ପାଇ ତୂଳୀର ପରଶ |
ଉତ୍କଳର ସେ ଉତ୍କର୍ଷ କଳାର,
ବଜାୟ ରଖିଛି ସେ କାରିଗର |୫|
ମନ ପ୍ରାଣେ ଗଢି ପୂଣ୍ୟ ପାଉଛି,
ଟଙ୍କାପଇସା ର ଲୋଭ ଭୁଲିଛି |
ଅନନ୍ୟ ସୃଷ୍ଟି ତାଙ୍କ ହସ୍ତରେ,
ପ୍ରଭୁ ଗଢିବାର କଳା ଧନ୍ୟରେ |୬|
ଜନ୍ମଜୟ ନାୟକ
ଗଣିତ ଶିକ୍ଷକ
ଚିଲିକା ନୋଡାଲ୍ ହାଇସ୍କୁଲ୍
ପୁରୀ

0 Comments