
ଗଢିଲେ ସୃଷ୍ଟିକର୍ତ୍ତା ମର୍ତ୍ତ୍ୟ ମଣ୍ଡଳେ
ଶ୍ରେଷ୍ଠ ଜୀବ ରୂପେ ଯା'କୁ
ହସ୍ତେ ଧରି ତୁଳୀ ଗଢୁଛି ଆଜି ସେ
ନିଜ ଇଚ୍ଛାମତେ ତାଙ୍କୁ।
ହୃଦ କଳ୍ପନାକୁ ନିହଣ ସ୍ପର୍ଶରେ
କାଉଁରୀ କିମିଆ କରି
ଗଢିଛି ଅପରୂପ ସୌନ୍ଦର୍ଯ୍ୟେ ଭରି
ଅପୂର୍ବ ତା' କାରିଗରୀ।
ନିର୍ଜୀବ ପ୍ରସ୍ତର ହେଲା ରୂପବନ୍ତ
ତା' ହାତର ସ୍ପର୍ଶ ପାଇ
ବୋଲାଉଛି ଦକ୍ଷ ବିନ୍ଧାଣି ସଂସାରେ
ସେହି ରୂପକାର ଭାଇ।
ବାର୍ଦ୍ଧକ୍ୟ ପାରି ନାହିଁ କରି ଦୁର୍ବଳ
ଦୃଢ଼ ତା'ର ମନୋବଳ
ଆଜିବି ସଜାଏ ଅତି ଯତନରେ
ଦେଇ କଳା କଉଶଳ।
ନାହିଁ ମନେ ଆଶା ପାଇବ ବୋଲି ସେ
ମାନ ଅବା ସନମାନ
ପାଷାଣ ପ୍ରତିମା ପ୍ରତିଦାନ ଅର୍ଥେ
ପୋଷିବ ନିଜ ସନ୍ତାନ।
ବିଧିର ବିଚିତ୍ର ବିଧାନ ଏହିତ
ଜଡ ପାଉଛି ଆଦର
ଜୀବନ ଥାଇ ବି ଅଲୋଡ଼ା ଯେ ନର
ହୁଏ କେତେ ହତାଦାର।
ନିବେଦିତା ମହାପାତ୍ର
ମୁକୁନ୍ଦ ମିଶ୍ର ନଗର ପୁରୀ

0 Comments