କ୍ଷୁଦ୍ର ଗଳ୍ପ - ଝଡ଼ - ଲତିକା ବିଳାସ



  ଘର ଭିତରକୁ ପଶୁ ପଶୁ ପର୍ଟିକୋ ରେ ବସିଥିବା ସ୍ୱାମୀଙ୍କ ତୀକ୍ଷଣ ଦୃଷ୍ଟି ଏକଦମ ଲହୁଲୁହାଣ କରିଦେଇଥିଲା ଶିବାଙ୍ଗୀକୁ l ଦୃଷ୍ଟି ତ ନୁହେଁ ସତେ ଯେମିତି  କୌଣସି ଅଲଟ୍ରା ସାଉଣ୍ଡ ମେସିନ୍ ର ଟ୍ରାନ୍ସଡ୍ୟୁସର ଟା ତା'ର ସାରା ଶରୀର ଉପରେ ପହଁରି ଆସୁଥିଲା .... ଆଉ ପରୀକ୍ଷା କରି ଚାଲିଥିଲା ଭିତରେ କେଉଁଠି କିଛି ପରିବର୍ତ୍ତନ ହେଇଯାଇନି ତ ଆଉ ? ଭାରି ଅପ୍ରସ୍ତୁତ ଓ ଅପମାନିତ ଲାଗୁଥିଲା ତାକୁ l   ଚାହିଁ ବି ସେଠାରୁ ଚାଲି ଯାଇ ପାରୁନଥିଲା   ସେ । ଅପରାଧୀ ଟିଏ ଭଳି ମୁଣ୍ଡ  ତଳକୁ ପୋତି ଠିଆ ହୋଇଥିଲା କେବଳ  ।

            କଣ ବା ଭୁଲ୍ ଏମିତି କରି ପକେଇଛି ସିଏ ? ଝିଅକୁ ସ୍କୁଲ୍ ରେ ଛାଡି ସେ ଚାଲି ଚାଲି ଘରକୁ ଫେରୁଥିଲା lବାଟରେ ଦେଖାହୋଇଗଲା ସହପାଠୀ ରୋହିତ ସହିତ lପାଠପଢା ଛାଡିଲା ପରେ ଏଇ ପ୍ରଥମ ଦେଖା  ।ଶିବାଙ୍ଗୀ ତ ତାକୁ ଚିହ୍ନି ବି ପାରୁନଥିଲା lକିନ୍ତୁ ରୋହିତ ପ୍ରଥମେ ଚିହ୍ନି ପାରି ମୋଟର ସାଇକେଲ୍ ଅଟକାଇ ପାଖକୁ ଆସି  ପରିଚୟ ଦେଇଥିଲା lଏଠି କେମିତି ବୋଲି ପଚାରିଥିଲା l

...." ମୋ ସ୍ୱାମୀଙ୍କ ଚାକିରି ଏଇଠି  l ଝିଅକୁ ଛାଡିବାକୁ ଆସିଥିଲି ।ଏଇ ପାଖରେ ତା' ସ୍କୁଲ ।"ଉତ୍ତର ଦେଇଥିଲା ଶିବାଙ୍ଗୀ ।

......   ଆରେ ବାଃ... ଆମ ଝାନ୍ସୀ ରାଣୀ ଏ ଭିତରେ  ମା ' ପୋଷ୍ଟ କୁ ପ୍ରମୋସନ ପାଇ ସାରିଲେଣି ତା'ହେଲେ   ।" ରୋହିତ ର କଥା ଶୁଣି ସାମାନ୍ଯ ହସି  ଚାଲିଆସୁଥିଲା ସେ l ହେଲେ ରୋହିତ ତା' ଆଡୁ କହିଥିଲା ---“ସେଇ କଲୋନୀ ପାଖକୁ ମୁଁ ଯାଉଛି ,ଗାଡିରେ ବସ; ଘରେ ଛାଡିଦେବି” lଧନ୍ୟବାଦ ଜଣାଇ ମନାକରି ଦେଇଥିଲା ଶିବାଙ୍ଗୀ l 

....“ଆରେ ଡରୁଛୁ କି ? ତୋ ଘର ଅତିଥି ହେବା ପାଇଁ ଯାଉନି  ମ  .....ହେଇ ସେ ପାଖ କୁ ଅନା , କେତେ ବଡ ମେଘ ଟେ ଉଠାଇଛି lକେତେବେଳେ ବରଷି ଯିବ lତାଛଡା ଆଜି କାଲି ଯେମିତି ବଜ୍ରପାତ ମାନ ହେଉଛି... ତୁ ବସିଲୁ  , ତୋତେ ନେଇ ଛାଡିଦେବି ତୋ ମିଷ୍ଟର ପାଖରେ lସେ ବିଚରା ଏ କଳା ମେଘ କୁ ଦେଖି ଡରିଯିବେଣି ଏକଦମ୍ ”l 


 ମୁହଁ ବୁଲାଇ ପଶ୍ଚିମ ଆକାଶକୁ ଚାହିଁଲା ଶିବାଙ୍ଗୀ lଆକାଶ ଟା କଳା ଚାଦର ଭିତରେ ସତରେ  ମୁହଁ ଲୁଚାଇ ସାରିଲାଣି କେତେବେଳୁ l ହେଲେ ବର୍ଷା କି ବଜ୍ରପାତ କୁ ତିଳେ ବି ଭୟ ନଥଲା ତା'ର lଭୟ  ଥିଲା ତ କେବଳ ପ୍ରିତମ୍ ଙ୍କୁ l  ତାଙ୍କ ଅବୁଝାମଣା କୁ lତାଙ୍କ ସନ୍ଦେହ କୁ lଶିବାଙ୍ଗୀ ଦେହରେ କାହାର ଛାଇ କୁ ମଧ୍ୟ ବରଦାସ୍ତ କରି ପାରନ୍ତି ନାହିଁ ପ୍ରିତମ୍ lଖାସ୍ ସେଇଥି ପାଇଁ ସମ୍ବଲପୁର ରୁ ଟ୍ରାନସଫର ମାଗି ଚାଲିଆସିଛନ୍ତି ଏଠିକୁ l

  ସମ୍ବଲପୁର ରେ ତାଙ୍କ କ୍ୱାର୍ଟରର ପାଖ କ୍ୱାର୍ଟରଟା ଦାସ୍ ବାବୁଙ୍କର lତାଙ୍କର କଲେଜ ପଢୁଆ ପୁଅ ବୁଟୁ ନିତି ତାଙ୍କ ଘର ସାମ୍ନାରେ ବ୍ୟାଡମିଣ୍ଟନ ପ୍ରାକ୍ଟିସ୍ କରେ lଦାସ୍ ବାବୁଙ୍କ ମିସେସ୍ କହନ୍ତି ---"ଶିବାଙ୍ଗୀ ,ଜାଣିଛ ନା ! ପୁଅଟା ଗେଡା ବୋଲି ବହୁତ ମନଦୁଃଖ କରୁଥିଲା ;ତା ମାମୁଁ ର ପରାମର୍ଶରେ ବ୍ୟାଡମିଣ୍ଟନ ଖେଳିବା ଆରମ୍ଭ କରିଛି  lତା  ଉଚ୍ଚତା ରେ ଫରକ ଆସୁ କି ନଆସୁ ସେ କିନ୍ତୁ ଖେଳରେ ଉସ୍ତାଦ ପାଲଟି ଗଲାଣି ଏକଦମ୍ lପ୍ରତିବର୍ଷ କିଛି ନା କିଛି କମ୍ପି ଟେସନ ନିଶ୍ଚୟ ଜିତୁଛି l ବିଶ୍ୱାସ କର ଶିବାଙ୍ଗୀ ; ତା'ର ଏ ସଫଳତା  ଦେଖି ଖେଳ ପ୍ରତି ଅାଲର୍ଜି ଥିବା ଦାସ୍ ବାବୁ ବି ଆଜିକାଲି ପାହାନ୍ତାରୁ ଉଠେଇ ପ୍ରାକ୍ଟିସ୍ ପାଇଁ ପଠେଇ ଦେଉଛନ୍ତି   ପୁଅକୁ ”l 

     ତାଙ୍କ କଥା ଶୁଣି  ଖୁସି ହୁଏ ଶିବାଙ୍ଗୀ, ଶୁଭେଚ୍ଛା ଜଣାଏ  l  ଏକଥା କିନ୍ତୁ ହଜମ କରି ପାରନ୍ତିନି ପ୍ରିତମ୍ lତାଙ୍କୁ ଲାଗେ ତାଙ୍କ  ନବ ବିବାହିତା ସ୍ତ୍ରୀ କୁ ଇମ୍ପ୍ରେସ୍ କରି ବାକୁ ଏସବୁ ସେ ବାତରା ଟୋକା ର ନାଟକ  । ସେଥିପାଇଁ ତା'କୁ ସେଇ ଆଖ ପାଖରେ ଦେଖିଲେ ତାଙ୍କ ଆଖି ଦୁଇଟା ପାଚିଲା ଟମାଟର ଭଳି ଲାଲ୍ ଦିଶେ l  

           ସେଇ ଆଖି କୁ ଚାହିଁ ଆତଙ୍କିତ ହେଲେ ମଧ୍ଯ କେବେ  ସେ କଳ୍ପନା କରି ନ ଥିଲା ଏମିତି କିଛି ଘଟିବ ବୋଲି l


       ସେଦିନ ବୁଟୁ  ଖେଳୁଥିବା ବେଳେ କର୍କ ଟା କେମିତି ତାଙ୍କ ଖୋଲାଥିବା ଝରକା ଦେଇ ଡାଇନିଂ ହଲ୍ ଭିତରକୁ ପଶି ଆସିଲା lସେତେବେଳକୁ , ସେଇଠି ଜଳଖିଆ ଖାଉଥିଲେ ପ୍ରିତମ୍ lସେଇ ଅଧୁଆ  ହାତରେ ଉଠି  ଧାଇଁଯାଇ ତା' କଲର ଟାଣି ମନର ସବୁତକ ବିଷ କୁ ଅଜାଡି ଦେଲେ ତା' କଅଁଳ ଗାଲରେ l ନା ନା ଅପ ଶବ୍ଦ ଓଗାଳି ଚାଲିଥିଲେ  l ତାମ୍ ସା ଦେଖିବାକୁ ଜମି ଯାଇଥିଲେ ବେଶ୍ କିଛି ଲୋକ l ମିସେସ୍ ଦାସ୍ ମଧ୍ୟ ବାହାରି ଆସି ଫଣା ତୋଳି ନାଚିବା ଆରମ୍ଭ କରିଦେଇଥିଲେ l ଦୁଇ ଜଣଙ୍କ ଝଗଡା ରେ  ଧୂଳିରେ ଗଡୁଥିଲା ଶିବାଙ୍ଗୀ ର ଇଜ୍ଜତ lପାଖ ପଡୋଶୀ ବେଶ୍ ଉପଭୋଗ କରି ଚାଲିଥିଲେ  ଏ ଦୃଶ୍ୟକୁ lକଥା କେଉଁ ପର୍ଯ୍ୟନ୍ତ ଯାଇଥାନ୍ତା କିଏ ଜାଣେ? ଭାଗ୍ୟକୁ ପହଂଚି ଗଲେ ଦାସ୍ ବାବୁ lନିଜ ପୁଅ ମାଡ ଖାଇଥିବା ସତ୍ୱେ ବି  ଭୁଲ୍ ମାଗି ବୁଝାସୁଝା କରି ଆପୋଷ ସମାଧାନ କରି ଦେଇଥିଲେ  ସେ l

       ଦାସ୍ ବାବୁ ଙ୍କ ନମ୍ରତା ଆଗରେ ହାର୍ ମାନି ଚାଲି ଆସିଥିଲେ ମଧ୍ୟ ସନ୍ଦେହ ଯାଇନଥିଲା ପ୍ରିତମ୍ ମନରୁ lସେଥିପାଇଁ ସେ ନିଜ ତରଫରୁ ବଦଳି କରାଇ ଚାଲିଆସିଲେ ଏଠିକୁ l ଶିବାଙ୍ଗୀ ବି ସେ ସ୍ଥାନରେ ରହିବାକୁ ଚାହୁଁ ନଥିଲା lଲୋକଙ୍କ ଅକୁହା ଆକ୍ଷେପ ଯୁକ୍ତ ଚାହାଣୀ କୁ ସାମ୍ନା କରି କରି ଥକି ଯାଇଥିଲା ସିଏ l ନୂଆ  ଜାଗାରେ ସେ ଶାନ୍ତି ରେ ନିଃଶ୍ବାସ ମାରିବ l  ଯାହା ହେଲା ହେଲା  ,ସବୁ ଭୁଲି  ଏଣିକି ସେ ତା'ର ସଂସାର ସଜାଡି ବାରେ ଅଧିକ ଧ୍ୟାନ ଦେବ  । ପ୍ରିତମ୍ ଙ୍କ ମନକୁ ସେ ସ୍ନେହ ମମତା ରେ  ଏମିତି ବାନ୍ଧିଦେବ ଯେ ସେ ଅନ୍ୟ କିଛି ଭାବିବାକୁ ସମୟ ପାଇବେ ନାହିଁ ଆଉ l

       ସ୍ୱାମୀଙ୍କୁ ଖୁସି ରେ ରଖିବାକୁ ଯତ୍ ପରୋନାସ୍ତି ଚେଷ୍ଟା କରିଥିଲା ଶିବାଙ୍ଗୀ l

ହେଲେ ଦେହରେ ଯାହାର ବିଷ  ଚରି ଯାଇଛି  ଅମୃତ ମଧ୍ୟ ତାକୁ ବିଷ ସମାନ ପ୍ରତୀତ ହେବ ।

ବାହାର ଶରୀର ରେ କିଛି ଅସନା  ପଡିଲେ ସେ  ସିନା ଧୋଇ ପୋଛି ସଫା କରିଦେବ  । କିନ୍ତୁ କାହାର ମନର ଅସନା କୁ ସେ କେମିତି ସଫା କରିପାରିବ  ? କିଛି ଦିନ ପରେ ପୁଣି ସେଇ କଥାର ପୌନଃ ପୁନିକ ଧାରା  । ବଦଳୁ ଥାଏ ଯାହା ଖାଲି ତା'  ସହିତ ଯୋଡି ହେଉ ଥିବା  ଚରିତ୍ର ର ନାମ, ଉପନାମ  ।

        ନିଜର ଏ ବ୍ୟଥାକୁ ଢୋକିବା ଛଡା ଅନ୍ୟ ଉପାୟ କ'ଣ  ?ଏ ଅ ଜାଗା କ୍ଷତ କୁ କାହାକୁ  ବା ଦେଖାଇ ପାରିବ ସିଏ  ?? ଦେଖାଇ ଦେଲେ ବି କଉ ଉପଶମ ମିଳିଯିବ ତାକୁ  ?? ?

   ନିଜ ପ୍ରିୟ ମଣିଷ ଟି ଯେଉଁଠି ବଗ କୁ କାଉ କହିବାକୁ ପଛଉ ନାହାଁନ୍ତି  ,  ସେଠି ଅନ୍ୟ କିଏ ତା' କଥାକୁ କେମିତି ବିଶ୍ୱାସ କରିବ?? ଲୋକମାନେ ତ  କହିବେ ନିଆଁ ନଥିଲେ କ'ଣ ଧୂଆଁ ବାହାରେ ???ଦୋହରାଇବେ ସେହି ପାରମ୍ପାରିକ  ରୂଢି  ।

   ସତରେ କ'ଣ କେବଳ ନିଆଁ ଥିଲେ ଯାଇ ଧୂଆଁ ଉଠେ   ? ବରଫର ଶୁଭ୍ର ଶୀତଳ ଦେହରୁ କ'ଣ ଉଠେନା  ମେଞ୍ଚା ମେଞ୍ଚା ବହଳିଆ ଧୂଆଁ???

ବେଳେ ବେଳେ ନିଜ ଉପରେ ବିତଷ୍ଣା ଆସିଯାଏ ତା'ର।  ଇଚ୍ଛା ହୁଏ ନିଜକୁ ଶେଷ କରିଦେବାକୁ  lକିନ୍ତୁ ଝିଅ ମୁହଁକୁ ଚାହିଁ ସେମିତି କରି ପାରେନା ଆଦୌ l

      ..... ଆଜିକାଲି  ତ  ତା'ସହିତ ଭଲରେ କଥାବାର୍ତ୍ତା ବି କରନ୍ତି ନାହିଁ ପ୍ରିତମ୍  । ସବୁବେଳେ ଚିଡ଼ିଚିଡ଼ି  କିଡିକିଡି । ଗୋଟିଏ ଶଯ୍ୟା ରେ ଶୋଇ ମଧ୍ୟ ଦୁଇ ଜଣଙ୍କ ମଧ୍ୟ ରେ କେତେ ଆଲୋକ ବର୍ଷର ଦୂରତା  । ସେଇ ଦୂରତା କୁ କମ୍ କରିବାକୁ ଚେ଼ଷ୍ଟା କରି ସେ ବାହାର କୁ ବାହାରିବା ବନ୍ଦ କରି ଦେଇଛି ଏକରକମ  ।

      ସେଥିପାଇଁ ତା' ଛୋଟ ଝିଅଟିର  ସବୁବେଳେ ଅଭିଯୋଗ। ଅନ୍ୟ ପିଲାମାନଙ୍କୁ ଛାଡିବା ପାଇଁ ସେମାନଙ୍କ ମାମା ଆସୁଥିବା ବେଳେ ତା'ର ମାମା କେବେ ଦିନେ ବି  ସ୍କୁଲ ଛାଡି ନେଉନି ତାକୁ  । କେଉଁ ଦିନ ବୁଲେଇ ନେଉନି ପାର୍କ କି ବଜାର l ପ୍ରିତମ୍ ବୁଝେଇ ଦିଅନ୍ତି ନିଜ ଭାଷାରେ। "ମାମା ଟା ବହୁତ ଲେଜି ତ  , ସେଇଥିପାଇଁ  "। ଆଜି କିନ୍ତୁ ସେ ବୁଝିବା ଅବସ୍ଥା ରେ ନଥିଲା  । ତା'ର ଏକା ଜିଦ୍ ଯିବ ତ ମାମା ସହିତ , ନଚେତ୍ ନାହିଁ  । ତା'ର ଜିଦ୍ ଆଗରେ ବିବଶ ହୋଇ ଯାଇଥିଲା ତା ମମତା  ।

     ......." ଆରେ କ'ଣ ଏତେ ଭାବୁଛୁ  ? ମୋତେ ବି ବର୍ଷା ଖୁଏଇବୁ ନାଁ କଣ  "? ରୋହିତ ର କଥାରେ ଭାଙ୍ଗି ଗଲା ତା'ର ଭାବନା  ।

ସେ  ଭଲରୂପେ  ଜାଣେ ରୋହିତ ଗାଡିରେ ବସି ଘରକୁ ଫେରିବା ଅର୍ଥ ଅଶାନ୍ତିକୁ ଆମନ୍ତ୍ରଣ lକିନ୍ତୁ ରୋହିତକୁ ସେ ଏକଥା ବା କେମିତି ବୁଝାଇବ ? ସବୁ କଥା କ'ଣ ସମସ୍ତଙ୍କୁ କହିହୁଏ ?? ଅନ୍ୟ କାହା ଆଗରେ   ସେ ନିଜ ସିନ୍ଦୁର କୁ ଛୋଟ କରିପାରିବ ବା କେମିତି  ??? 


       ରୋହିତ କଥା କାଟି ନପାରି ବାଧ୍ଯ ହୋଇ ତା' ବାଇକ୍ ରେ ଆସିଲା  ସିନା, ରାସ୍ତା ରେ  ଓହ୍ଲାଇ  ପଡି  ସେହି ରାସ୍ତା ରୁ ହିଁ  ତାକୁ ବିଦା କରି ଦେଇଥିଲା ଶିବାଙ୍ଗୀ  । ସୌଜନ୍ୟତା ଦୃଷ୍ଟି ରୁ ଚା' କପ୍ ଟେ ପିଆଇବାର ଇଛା ଥିଲେହେଁ ତାକୁ ଡାକି କୌଣସି ଅପ୍ରିତିକର ପରିସ୍ଥିତି କୁ ନିମନ୍ତ୍ରଣ କରିବାକୁ ଚାହୁଁ ନଥିଲା ସେ  । ବୁନ୍ଦେ ବୁନ୍ଦେ ବର୍ଷା  ବି ପଡିବା ଆରମ୍ଭ ହୋଇ ଯାଇଥିଲା  । ତରତରରେ ଚାଲିଯାଇଥିଲା  ରୋହିତ  । ଶାନ୍ତିରେ ନିଃଶ୍ବାସ ଟେ ଛାଡିଥିଲା ସେ।ସେତେବେଳେ ସେ ଜାଣି ନଥିଲା ଯେ ପ୍ରିତମ୍ ଙ୍କ  ଟେଲିସ୍କୋପ୍ ଭଳି ଆଖି  ଦୁଇଟି ତା' ଉପରେ  ପଡି ସାରିଛି  ବୋଲି l

   କେତେବେଳୁଁ ବାହାର କୁ ବାହାରି ଗଲେଣି ପ୍ରିତମ୍  । ଯିବାବେଳେ ଫିଙ୍ଗି ଦେଇ ଯାଇଥିବା ଅସହ୍ଯ ଶବ୍ଦ କେତୋଟି ପିଟି ହେଇ ଯାଉଛି ଏବେ ବି  କାନରେ  l

         ଉପର କ୍ୱାର୍ଟର ରୁ ଭାସି ଆସୁଛି ମଧୁର  ସଙ୍ଗୀତ ର ଲହରୀ  । ଗାୟକ ମୁଖରେ ଉପେନ୍ଦ୍ର ଭଞ୍ଜ ଙ୍କ " ପ୍ରେମ ସୁଧାନିଧି "ର ସେହି କାଳ ଜୟୀ ପଦ - "ଦୂରେ ଥିଲେ ପାଶେ ଅଛି ଏହା ଥିବୁ ଘେନି, ”

            ଦୂର ଆକାଶ ରେ ତାରା ସହିତ ଲୁଚକାଳି ଖେଳୁଥାଏ ଜହ୍ନ  ।  ପୋଖରୀ ଜଳ ରେ ପବନ ଦୋଳିରେ ଝୁଲୁ ଥାଏ  ତା' ପ୍ରିୟା କଇଁ ।  ତଥାପି ଦୁଇ ଜଣ ଙ୍କ ମଧ୍ୟ ରେ କି ଅତୁଟ ପ୍ରେମ  l


        ଏ କଥା ଭାବୁ ଭାବୁ ସାମ୍ନାକୁ ଆସିଯାଏ ତା' ସାଙ୍ଗ ସିପ୍ରାର ଚେହେରା ।ସିପ୍ରା ଓ ତା' ସ୍ୱାମୀ ସମ୍ଭବ ଉଭୟ ମଲ୍ଟି ନେସନଲ କମ୍ପାନୀ ରେ ଚାକିରି କରନ୍ତି ।ଡିଉଟି ଦାୟରେ ଅନେକ ସମୟ ଉଭୟ ଉଭୟଙ୍କ ଠାରୁ ଦୂରରେ ରହନ୍ତି ।ତଥାପି କେତେ ମଧୁର ତାଙ୍କ ଦାମ୍ପତ୍ୟ ଜୀବନ ।

   ମନରେ ପ୍ରେମ ଓ ବିଶ୍ୱାସ ଥିଲେ ବଢିଯାଏ ସମ୍ପର୍କ ର  ଗୁରୁତ୍ୱ  lଅପର ପକ୍ଷରେ ଏ ସବୁର ଅଭାବରେ ସମ୍ପର୍କ ରେ ଆସି ଯାଇଥାଏ  ଯୋଜନ ଯୋଜନ  ଦୂରତ୍ୱ ।

       ••••• ଆଉ ଅଧିକ ଭାବି ପାରିଲାନି ସେ  । ସୁ..... ସୁ  ପବନ ରେ ଉଡିଗଲା ତା'ର ଧ୍ୟାନ  । ବର୍ଷା କୁ ଦୂରକୁ ଫୁଙ୍କି ଦେବାକୁ ଝଡ ତୋଫାନ୍ ର କାରସାଦି ଆରମ୍ଭ ହୋଇଗଲାଣି କେତେବେଳୁ  । ଝଣ୍ ଝାଣ୍ ହୋଇ  ଥାକରୁ ପଡି ସାରିଲାଣି କେତେ କ'ଣ  ? ଧାଇଁ ଯାଇ ସେ  କବାଟ  , ଝରକାସବୁ ବନ୍ଦ କରି ଆସିଲା ଭଲ ରୂପେ  । କିନ୍ତୁ କେଜାଣି କେଉଁ ଜଳା  ବାଟ ଦେଇ ଝଡ ପବନ  ପଶି ଆସୁଥିଲା  ଘର ଭିତରକୁ  ।  ଛିନ୍ନଭିନ୍ନ କରି  ମାଡିମକଚି ଦେଉଥିଲା ତା' ହାତ ସଜଡା ଜିନିଷ ସବୁକୁ। ତଥାପି ଯେମିତି ମେଣ୍ଟୁ  ନଥିଲା ତା'ର  ଭୟଙ୍କର ଭୋକ  ।। ଲାଗୁଥିଲା ସବୁ କିଛି ଉଜାଡି ଉପାଡି ଧ୍ବଂସ କଲା ପରେ ହିଁ ଶାନ୍ତ ହେବ ଏ ଝଡ଼ ।। ।



      

             ଲତିକା ବିଳାସ

         ଭଟଲି ଛକ ,ବରଗଡ଼

Post a Comment

0 Comments