ଜୀବନଟା କେବେ କେବେ - ସାରଦା ପ୍ରସନ୍ନ ବାରିକ



କେବେ ଏନ୍ତୁଡ଼ିର କୁଆଁ କୁଆଁ କାନ୍ଦ 

କେବେ ସେ ସ୍ମଶାନ କୋକେଇ,

କେବେ ସେ କୁନି ସନ୍ତାନ ଟିଏ 

କେବେ ବାପା ଆଉ କକେଇ ।। 


କେବେ ସେ ବିଶ୍ୱାସ କେବେ ଅବିଶ୍ୱାସ 

କେବେ ସୁଖ ଦୁଃଖ ମିଶ୍ରଣ,

କେବେ ହସ ଆଉ କେବେ ଲୁହ ଅଟେ

କେବେ ପାପ କେବେ ପୁଣ୍ୟ ସୋପାନ।। 


କେବେ ଆଖିରୁ ଝରାଏ ଲୋତକ 

କେବେ ଓଠରେ ଫୁଟାଏ ହସ,

କେବେ ଅମୃତର ଧାରା ଝରାଏ ତ 

କେବେ ଭରିଦିଏ ବିଷ।। 


କେବେ ଫଗୁଣର ରଙ୍ଗରେ ରଙ୍ଗାଏ

କେବେ ବୋଳିଦିଏ କାଳି,

କେବେ ସେ ଭିଜାଏ ଧାରା ଶ୍ରାବଣରେ 

କେବେ ଦିଏ ପୁଣି ଜାଳି।। 


କେବେ ସେ ମିଶାଏ ଆପଣାର ସାଥେ 

କେବେ କରି ଦିଏ  ବିଚ୍ଛେଦ,

କେବେ ସୃଷ୍ଟି କରେ ସମ୍ପର୍କର ସେତୁ 

କେବେ ସେ ଜନ୍ମାଏ  ବିବାଦ।। 


କେବେ ଆଣିଦିଏ ସୁଖର ସମ୍ଭାର 

କେବେ ଆଣେ ଶୋକ ସାଗର,

କେବେ ସେ ହସାଏ ଅସୀମ ଆନନ୍ଦେ 

କେବେ ସେ  ଝରାଏ ଲୁହ ନିର୍ଝର।। 


କେବେ ସେ ଆଣଇ ଉନ୍ନତି ପ୍ରଗତି 

କେବେ ଆଣେ ବିଫଳତା, 

କେବେ ସେ ଅଣାଇ ଖ୍ୟାତି ଓ ପ୍ରଶଂସା 

କେବେ ଆଣିଦିଏ ନିନ୍ଦା ଓ ବ୍ୟଥା।। 


କେବେ ଖୋଜିଦିଏ ମନର ମଣିଷ 

କେବେ କରିଦିଏ ସଭିଙ୍କୁ ପର,

କେବେ ଗାଇଦିଏ  ପ୍ରେମର ସଂଗୀତ 

କେବେ ଭରିଦିଏ କୋହ ଝଙ୍କାର ।। 


କେବେ ସେ ଅଟଇ ମିଠା ଝରଣା ଟେ 

କେବେ ଅଟେ ମରୀଚିକା,

କେବେ ସେ ଅଟଇ ତିମି ଅନ୍ଧକାର 

କେବେ ଆଲୋକର ଶିଖା।। 


--ସାରଦା ପ୍ରସନ୍ନ ବାରିକ 

  ,କେନ୍ଦୁଝର 

Post a Comment

0 Comments