କ୍ଷୁଦ୍ର ଗଳ୍ପ - ମାଙ୍କଡ଼ - ସତ୍ୟ ରଞ୍ଜନ ମିଶ୍ର

 


      ମୁଁ ମାଙ୍କଡ଼.... ଶୁଣିଚି ମୁଁ କୁଆଡେ ମଣିଷ ମାନଙ୍କ ପୂର୍ବଜ। ପୃଥିବୀରେ ସଂଘଟିତ ବିବର୍ତ୍ତନ ଯୋଗୁଁ ମୋ ଶରୀର ରୁ କିଛି ଗୁଣ ବିବର୍ତ୍ତୀତ ହେଇ ମନୁଷ୍ୟ ଶରୀର ର ସୃଷ୍ଟି। ତେଣୁ ପ୍ରକୃତ ଅର୍ଥରେ କହିବାକୁ ଗଲେ ଏ ମନୁଷ୍ୟ ଜାତି ହେଉଛି ମୋର ଦାୟାଦ। କିନ୍ତୁ ସେଇ ଦାୟାଦ, ଏବେ ଆଧୁନିକତା ର ସ୍ପର୍ଶ ପାଇ ପୃଥିବୀ ର ଶ୍ରେଷ୍ଠ ଜୀବ ତଥା ମୋର ପ୍ରଧାନ ଶତ୍ରୁ ରୂପେ ପରିଗଣିତ। ମୋତେ ଯେବେ ଯୋଉଠି ଯେଉଁ ଅବସ୍ଥାରେ ଦେଖିବାକୁ ପାଇଲେ ବନ୍ଧୁକ, ଛିଟିକିଣି, ବାଡ଼ି, ଗୋଡି, ପଥର ଇତ୍ୟାଦି ଦ୍ୱାରା ଆକ୍ରମଣ କରିବାକୁ ସବୁବେଳେ ପ୍ରସ୍ତୁତ। ସତେ ଯେମିତି ମୁଁ ତାଙ୍କ ଜୀବନ ପ୍ରତି ଏକ ବିରାଟ ବିପଦ। 

      

       ମୁଁ ମାଙ୍କଡ଼..... ମଣିଷ ଭାଷାରେ ଗୋଟେ ଅସନା ତଥା ସବୁଠୁ ଘୃଣ୍ୟ ଜୀବ। ଅସୁନ୍ଦର ଦିଶୁଥିବା ମଣିଷ କୁ ଆଉ ଗୋଟେ ମଣିଷ ସବୁବେଳେ ଛିଗୁଲେଇ ବା ନାକ ଟେକି କହୁଥିବାର ମୁ ଶୁଣେ, ,"ଛି ଲୋ,ଏଇଟା ମାଙ୍କଡ଼ ଭଳିଆ ଦିଶୁଚି। " ମଣିଷ ଲାଗି ମୁ ହେଉଛି ବୁଦ୍ଧି ବିବେକ ନଥିବା ଗୋଟେ ପାଗଳ ଆଉ ଉଦଣ୍ଡ ଜୀବ। କଥା କଥାରେ ଗୋଟେ ମଣିଷ ଆଉ ଗୋଟେ ଦୁଷ୍ଟ ମଣିଷ କୁ ମୋ ସହ ତୁଳନା କରି କୁହେ କି " କାଇଁ ଗୋଟେ ମାଙ୍କଡ଼ ଭଳିଆ ହଉଛୁ କିରେ? " ମୋ ପାଇଁ ଏକ ବିରାଟ ଦୁଃଖର କଥା ଏଇଆ ଯେ, ବର୍ତ୍ତମାନ ସମୟରେ ମଣିଷ ପାଖରେ ଥିବା ସହସ୍ର ଦୁର୍ଗୁଣ  ଭିତରୁ  "ମାଙ୍କଡ଼ାମି" ଏକ ପ୍ରମୁଖ ଦୁର୍ଗୁଣ। 


       ମୁଁ ମାଙ୍କଡ଼.... ସବୁଜ ସୁନ୍ଦର ଜଙ୍ଗଲ ହେଉଛି ମୋ ବାସସ୍ଥାନ। ଉଁ.. ହୁଁ....ବାସ ସ୍ଥାନ ଥିଲା। ଏବେ ଜଙ୍ଗଲ ହେଉଛି ମୋର ସେଇ ଦାୟାଦ ଙ୍କ ପ୍ରଧାନ ଉତ୍ପାଦନସ୍ଥଳୀ। ଫୁଲ, ଫଳ, ପତ୍ର, ଗଛ, ଲତା, ଜୀବଜନ୍ତୁ ଙ୍କ ଉପରେ ସତେ ଯେପରି  ତାଙ୍କର ଏକଚାଟିଆ ଅଧିକାର। ଲାଗୁଛି ଯେମିତି ତାଙ୍କ ଜୀବନ କୁ ସରସ ସୁନ୍ଦର କରିବାକୁ ହିଁ ଭଗବାନ ଆମକୁ ସୃଷ୍ଟି କରିଛନ୍ତି। ପୃଥିବୀ ରେ ତିଷ୍ଠି ରହିବାକୁ ହେଲେ, ତାଙ୍କ ଇଚ୍ଛା ଅନୁସାରେ ହିଁ  ଚାଲିବାକୁ ପଡିବ। ନଚେତ ହୋମ କୁଣ୍ଡ ରେ ସ୍ୱାହା। 


      ମୁଁ ମାଙ୍କଡ଼..... କୁକୁର କି ବିଲେଇ ନୁହେଁ ଯେ ମଣିଷ ମୋତେ ପୋଷା ବନେଇବ। ଭଲ ସ୍ୱର ରଖିଥିବା କୋଉ ଚଢେଇ ନୁହେଁ ଯେ ମୋତେ ପିଞ୍ଜରା ଭିତରେ ରଖି ସ୍ୱାଦିଷ୍ଟ ଭୋଜନ ଦେବ। ନାଁ ମୁ ମଣିଷ ର କୌଣସି ସୁରକ୍ଷା କାମ ରେ ଆସେ ନାଁ ମୁ ମଣିଷ ର ମନୋରଞ୍ଜନ କରିପାରେ। ଅବଶ୍ୟ ମୋର ଜାତିଭାଇ ପାତି ମାଙ୍କଡ଼ କିଛି ମାତ୍ରା ରେ ମନୋରଞ୍ଜନ କରିପାରେ। ହେଲେ ମୋ ଭଳି ସାଧାରଣ ମାଙ୍କଡ଼ ମାନେ ମଣିଷ ର କୌଣସି କାମରେ ଆସନ୍ତିନି। ତେଣୁ ମୋର ଯତ୍ନ ନେବା କି ସୁରକ୍ଷା କରିବା କଥା କେହି ଥରୁଟିଏ ଭାବନ୍ତିନି। 


     ମୁଁ ମାଙ୍କଡ଼.... କୁହାଯାଏ ମୁ କୁଆଡେ ପ୍ରଭୁ ହନୁମାନ ଙ୍କ ବଂଶଜ। ହେଲେ ମୁ ପାଇପାରେନି ପ୍ରଭୁ ହନୁମାନ ଙ୍କ ଭଳି ସମ୍ମାନ। ପ୍ରଭୁ ହନୁମାନ,ଭଗବାନ ଶିବ ଙ୍କ ଅଂଶ ହେଇଥିବାରୁ ପ୍ରାୟତଃ ଶୈବପୀଠ ମାନଙ୍କରେ ମୁଁ ବାସ କରିଥାଏ। କିନ୍ତୁ ସେଠି କୋଉ ବୁଲା ଷଣ୍ଢ ହୁଏତ ବୁଲିବୁଲି ଘାସ ମୁଠାଏ ପାଇପାରେ କିନ୍ତୁ ମୁଁ ଗଣ୍ଡାଏ ପେଟ ପୁରା ଖାଦ୍ୟ ପାଇବା ଅସମ୍ଭବ। ଆଉ କିଏ ଯାଚିକି ଖାଦ୍ୟ ଦେବାର ତ ପ୍ରଶ୍ନ ଉଠେନି। ତେଣୁ ବାଧ୍ୟ ହେଇ ମୁ ଆଠୁ ତାଠୁ ଛଡେଇକି ଖାଦ୍ୟ ଖାଏ। ଆଉ ସେଇଟା ବି ମୋ ଉପଦ୍ରଵ ରେ ଗଣା.... ।


     ମୁଁ ମାଙ୍କଡ଼..... ମଣିଷ ମାନଙ୍କ ଅଦାଲତ ରେ ମୁ ସବୁବେଳେ ଦୋଷୀ। ମୋ ନାଁ ରେ ଅଭିଯୋଗ ଯେ ମୁ କୁଆଡେ ସବୁବେଳେ ମଣିଷ ର ପରିଶ୍ରମଲବ୍ଧ ଖାଦ୍ୟପଦାର୍ଥ କୁ ନଷ୍ଟ ଭ୍ରଷ୍ଟ କରେ। କିନ୍ତୁ କିଏ କେବେ ମୋତେ ନିଜେ ନିଜ ତରଫରୁ ଓକିଲାତି କରିବାକୁ ସୁଯୋଗ ଦିଅନ୍ତିନି କି ମୋ ବୟାନ ଶୁଣନ୍ତିନି। ଯଦି ଶୁଣିଥାନ୍ତେ ତାହେଲେ ହୁଏତ ମୁ କହିଥାନ୍ତି, " ରେ ମଣିଷ... ଆରେ କିଏ କାହା ଖାଦ୍ୟ ଆଗ ନଷ୍ଟ କରିଛି ? ମୁ ତୋର  ନା ତୁ ମୋର ? କିଏ କାହା ବାସସ୍ଥାନ ଆଗ ଉଜାଡିଛି ? ମୁ ତୋର  ନା ତୁ ମୋର ? ଆରେ ତୁ ଯଦି ମୋ ଜଙ୍ଗଲ କୁ ନଷ୍ଟ ନ କରିଥାନ୍ତୁ ତାହେଲେ ମୁ ଜନବସତି କୁ ଏତେ ମାତ୍ରା ରେ ଆସିଥାନ୍ତି କିଆଁ ?  ଆରେ ଯାଇ ପଚାରେ ତୋ ବାପା ଗୋସେଇଁ ବାପା ଙ୍କୁ। ସେମାନେ କହିବେ ଆମେ କଣ ତାଙ୍କ ଅମଳ ରେ ଏମିତି ଉପଦ୍ରଵ କରୁଥିଲୁ ? ଆରେ ସେମାନେ ତ ଆମକୁ ଦେଖିଲେ ହୁଏତ କେବଳ ବାଡ଼ି ଉଞ୍ଚାଉଥିଲେ ବା ଛୋଟ ଟେକା ଟିଏ ଫୋପାଡ଼ିଦେଉଥିଲେ। ହେଲେ ତୁ ଏବେକାର ଆଧୁନିକ ମଣିଷ କେତେ ପ୍ରକାରେ ଯେ ଆମକୁ ଘଉଡାଉଚୁ ତାର କେବେ ହିସାବ ରଖିଛୁ ? ଆରେ କେତେବେଳେ ଜାଲ ପକେଇଦେଉଚୁ ତ କେତେବେଳେ କଣ୍ଟା ପକେଇଦେଉଚୁ ଆଉ କେତେବେଳେ ହାଇ ଭୋଲ୍ଟେଜ ର କରେଣ୍ଟ ଲଗେଇ ଦେଉଛୁ। ଳେବେଳେ ତ ତୁ ବିଷ ମିଶା ଖାଦ୍ୟ ଥୋଇ ଆମକୁ କଲବଲ କରି ମାରିବାକୁ ପଛାଉନୁ.. କଣ ପାଇଁ ରେ ? କି ଦୋଷ କରିଛୁ ଆମେ ତୋର ? ଆରେ ପେଟ ପାଇଁ ତ ତୁ ନିଜେ ଦରକାର ପଡିଲେ ଚୋରି ଡକାୟତି ହତ୍ୟା କରିଦେଉ। ଆମେ ତ କିନ୍ତୁ କାହାର ହତ୍ୟା କରୁନି, କେବଳ ଯାହା ଟିକେ ଖାଇବା ଆଶା ରେ ବିଲବାଡ଼ି ଆଡେ ଆସୁ। କଣ ସେଇଟା ଆମ ଅପରାଧ ? ଆରେ ତୋ ନିଷ୍ଠୁର ପ୍ରହାର ରୁ ନିଜ କୁ ବଞ୍ଚେଇବାକୁ ଯାଇ କୁଦା ମାରି ଧାଇଁବା ର ନାମ କଣ ଉପଦ୍ରଵ ?? 

  

    ମୁଁ ମାଙ୍କଡ଼ ... ପୃଥିବୀ ର ସବୁ ଜୀବଜନ୍ତୁ ଙ୍କ ଭିତରୁ ଗୋଟିଏ ଜାତି। ମାନୁଛି ମୁ ମଣିଷ ଭଳି ଶକ୍ତିଶାଳୀ ବା ବୁଦ୍ଧି ବିବେକଧାରୀ ନୁହେଁ, ତେବେ ମୋର ବି ମଣିଷ ଭଳି ଏ ପୃଥିବୀ ରେ ବଞ୍ଚିବାର ସମାନ ଅଧିକାର ଅଛି। ମୁ ଯାହା ବି କ୍ଷତି ବା ଉପଦ୍ରଵ କରେ କେବଳ ନିଜ ପେଟ ପାଟଣା ପାଇଁ କରେ। ନିଜ କୁନି ଛୁଆ ମୁହଁ ରେ ଆହାର ଟିକେ ଦେବାକୁ କରେ। ତୁମେ ମଣିଷ ମାନେ ମୋତେ ସାହାଯ୍ୟ କଲେ ମୁଁ ତୁମ ମାନଙ୍କୁ ସାହାଯ୍ୟ କରିବି। ମୋ ଖାଦ୍ୟ ର ବନ୍ଦୋବସ୍ତ କରିଦେଲେ ମୁ ତୁମ ମାନଙ୍କ ଖାଦ୍ୟ ନଷ୍ଟ କରିବି ନାହିଁ। ନଚେତ ଏହି ନୂତନ ବିବର୍ତ୍ତନ ରେ ଖାଦ୍ୟ ଅଭାବ ରୁ କିମ୍ବା ତୁମ କ୍ରୁରତା ସହି ନପାରି, ମୁ ଦିନେ ବିଲୁପ୍ତ ହେଇଯିବି ଆଉ ତୁମ ଉତ୍ତର ପିଢ଼ି,  "ସହଜ ଇଂରାଜୀ ଶିକ୍ଷା" ବହି ର 'ଏମ' ଫର 'ମଙ୍କି' ପାଖରେ  ଚାରିଗୋଡିଆ ଜନ୍ତୁ ବଦଳରେ ଦେଖିବେ ଗୋଟେ ଦୁଇ ଗୋଡିଆ ଦାନଵ କୁ ଯିଏକି ବିଲକୁଲ ତୁମରି ଭଳି ଦିଶୁଥିବ। 


ସତ୍ୟ ରଞ୍ଜନ ମିଶ୍ର

ଅଢ଼ଙ୍ଗ ଶାସନ, ବିରିଡି, ଜଗତସିଂହପୁର

Post a Comment

0 Comments