ଫୁଲ ଓ ଭଅଁର - ଉଦୟ ଭାନୁ ରାଉତ




ଦିନେ ମୁଁ ବଗିଚା ଭିତରକୁ ଗଲି  । ବଗିଚାରେ ଅନେକ ପ୍ରକାରର ଫୁଲ ଫୁଟିଥାନ୍ତିି ।କେଉଁ ଫୁଲ ପାଖକୁ ଆଗେ ଯିବି ବୋଲି ଭାବି ପାରିଲି ନାହିଁ । ଏମିତି  ଯାଉ ଯାଉ ଗୋଟେ ଫୁଲ ପାଖରେ ପାଦ ମୋର ଅଟକି ଗଲା, ଦେଖିଲି ଫୁଲର ସୌନ୍ଦର୍ଯ୍ୟ ହଜି ଯାଇଛି । ତା ଓଠରୁ ଆଉ ମହକ ଝରୁନି କି ସେ ବି ତାର ମନର କଥା କାହାକୁ ଖୋଲିକି କହି ପାରୁନି ।ମୋ ହାତର ସ୍ପର୍ଶ ପାଇ ଫୁଲଟି ଯେପରି କଇଁ କଇଁ ହୋଇ କାନ୍ଦିବାକୁ ଲାଗିଲା । ସତେ ଯେମିତି ମୁଁ ତାର ଅତି ଆପଣାର ଥିଲି ।ଆଉ ସେଇ ଆପଣାର ଲୋକଟି ତାକୁ ପର କରିଦେଇଥିଲା ।ସେହିପରି ମତେ ଦେଖିକି କିଛି କହୁ ନଥାଏ ।କିନ୍ତୁ ମୁଁ ତାର ଛଳ ଛଳ ଆଖି ଦେଖି ଠିକ୍ ବୁଝି ପାରୁଥିଲି କେହି ଜଣେ ତା ମନରେ ଖୁବ୍ ବଡ଼ ଆଘାତ ଦେଇଛି ।ଯେଉଁ ଆଘାତ ଫଳରେ ସେ ଭାଂଗି ପଡ଼ିଛି ।ମନ ହେଉନଥାଏ ସେ ଫୁଲଟିକୁ ଏକା କରି ଛାଡ଼ି ଚାଲି ଯିବା ପାଇଁ କିନ୍ତୁ ଗୋଟିଏ ପାଦ ଆଗକୁ ପକାଇଛି କି ନାହିଁ  ସତେ ଯେପରି ସେ ମୋର ହାତକୁ ଟାଣି ଧରିଲା ପରି ଲାଗିଲା ।ଆଉ ଆଗକୁ ଆଗେଇଲି ନାହିଁ ।ତାର ସେଇ ଥର ଥର ଓଠକୁ ଦେଖି  ବୁଝି ପାରିଥିଲି ତା ମନର ସେହି ଅକୁହା କଥାକୁ ।କେଜାଣି କାହିଁକି ତାକୁ ଦେଖିଲା ପର ଠାରୁ  ଅତି ନିଜର ନିଜର ଲାଗୁଥିଲା । 



ଲାଗୁଥିଲା ସତେ ଯେମିତି ତା ସହ ମୋର ପୂର୍ବ ଜନ୍ମରୁ ନିବିଡ଼ ସମ୍ପର୍କ ଥିଲା ।ନହେଲେ ମତେ ଦେଖିକି କାନ୍ଦି ଉଠି ଥାନ୍ତା କାହିଁକି ।

ସେ କହିବାକୁ ଚାହୁଁଥିଲା ଯେ ସେ ଯେଉଁ ଭଅଁରଟିକୁ ଅତି ଆପଣାର ଭାବି ନିଜ ମନ ଟିକୁ ସମର୍ପି ଦେଇଥିଲା ।ସେ ଆଜି ତାକୁ ପର କରି  ବହୁତ୍ ଦୂରକୁ ଚାଲିଯାଇଛି  ।  ସେଇ ଫୁଲଟି ତାର ବର୍ତ୍ତମାନ କୁ ନେଇ ଯେତିକି ଦୁଃଖିତ ନୁହେଁ ,ସେ ତାର ଅତୀତ କଥା ଭାବି ବହୁତ୍ ଅନୁତାପ କରୁଛି lଯେଉଁ ଭଅଁର  ସେହି ଫୁଲକୁ ଦିନେ ନ ଦେଖି ରହି ପାରୁନଥିଲା ।ଆଜି ସେଇ ଭଅଁର ସେଇ ଅଭାଗିନୀ ଫୁଲକୁ ପର କରିଦେଲା । ଫୁଲଟି କୁ ନିଜର କରିବା ଆଗରୁ ଭାବିବାର ଥିଲା ମୁଁ ଯଦି ଜୀବନରେ ସେ ଫୁଲକୁ ପର କରି ଦିଏ ,ତାର ଅବସ୍ଥା କଣ ହେବ । କାରଣ ସେହି ଫୁଲଟି ଭଅଁର କୁ  ତା ଜୀବନ ଠୁ ବି ଅଧିକା ଭଲ ପାଉଥିଲା ।ସେ ତାକୁ ଧୋକା ପର ଠାରୁ ଫୁଲଟି ଅତି ଅସହାୟ ହୋଇ ପଡ଼ିଛି ।ସେ ଭାବୁଛି ଯେପରି ତା ଠାରୁ ତା ଜୀବନକୁ କେହି ଜଣେ ଅଲଗା କରି ଦେଇଛି ।ମଣିଷ ମାନଙ୍କ ପରି  ଭଅଁର ବି ସ୍ୱାର୍ଥପର । ତାର ସ୍ୱାର୍ଥ ସାଧନ ପରେ ସେ ଫୁଲଟି କୁ ପର କରି ଦେଲା ।କି ଦୋଷ କରି ଥିଲା ସେଇ ଫୁଲ ।ତାର ଟିକେ ସ୍ନେହ ମମତା ପାଇବା ପାଇଁ ଅଜାଡ଼ି ଦେଇଥିଲା ତାର ସବୁ ତକ ଖୁସି ।କିନ୍ତୁ ତାର ପ୍ରତିବଦଳରେ  ତାକୁ ମିଳିଥିଲା କଣ୍ ଘୃଣା, ଧୋକା, ଭୁଲିଯିବା ର ପ୍ରତିଶୃତି । ଏଇଟା କଣ ଠିକ୍ ??


ଯଦି  ସେ ଭଅଁର ମନରେ ଏତେ କଥା ଥିଲା ସେ ତ ପ୍ରଥମରୁ ମନା କରି ପାରି ଥାନ୍ତା ।ତେଣୁ ମୁଁ ଈଶ୍ବରଙ୍କ ପାଖରେ ପ।ର୍ଥନା  କରୁଛି କାହାର ଏମିତି ସଂପର୍କ ନିବିଡ଼ ନହେଉ ,ଯଦି ବା ହେଉ ଏମିତି ଅଧାରୁ କେବେ ଛିଡି ନ ଯାଉ ।ଜୀବନରେ କାହାକୁ ବି ଏତେ ଭଲପାଇବ ନାହିଁ ,ଯାହା ଫଳରେ ସେ ଚାଲି ଗଲାପରେ ତମେ ତାର ଅନୁପସ୍ଥିତି କୁ ଝୁରି ହୋଇ ବହୁତ୍ କଷ୍ଟ ଅନୁଭବ କରିବ । କାହାକୁ କେବେ ପ୍ରତିଶୃତି ଦେବନି ,ଯାହାକୁ ତମେ ରଖି ପାରିବ ନାହିଁ ।

ସତରେ ସ୍ନେହ ପ୍ରେମ ବିନା ଜୀବନଟା ମୂଲ୍ୟହୀନ ।


ଉଦୟ ଭାନୁ ରାଉତ

ବଡ଼ମଙ୍ଗ,କଳସପୁର,ଆଳି ,କେନ୍ଦ୍ରାପଡ଼ା

୮୦୧୮୨୦୨୯୧୨

Post a Comment

0 Comments