ସେଇ ଚଲାପଥେ - ସୁରେନ୍ଦ୍ର କୁମାର ସାହୁ




କେତେଦିନ ପରେ    ମନେ ନାହିଁ ଆଉ

        ଭରସିଛି ପୁଣି ସତେ,

ଯିବା ପାଇଁ ସେଇ    କୁସୁମ ମଣ୍ଡିତ

        ତରୁ ସୁଶୋଭିତ ପଥେ ।।

ସାରସ ଶୋଭିତ    ଭ୍ରମର ବେଷ୍ଟିତ

        ସରସୀ ପଥେ ଆଗତା,

ଅଦୂରେ ଥାଇ ମୁଁ     ସ୍ନେହେ ବିଲୋକିଲି

        କାଳେ ଥିବୁ ସ୍ନାନରତା ।।

ସ୍ଵର୍ଣ୍ଣଗାତ୍ରୀ ତୋତେ     ନ ଦେଖିଣ ନେତ୍ରେ

        ଭ୍ରମ ଗଲା ଅପସରି,

ମାୟା ମୋହ ବଶ    ହୋଇଣ ଭ୍ରମର

        ଅବ୍ଜେ ବନ୍ଦୀ ହେଲା ପରି ।।

ଦାରୁଣ ଗ୍ରୀଷମେ    ଆଦିତ୍ୟ ଆଗମେ

        ଲୁଚୁଥିଲେ ବୃକ୍ଷ ତଳେ,

ରଙ୍ଗିମା ଅଧରେ    ଭାଷିଦେଲେ ଥରେ

        ଭାସୁଥିଲି ପ୍ରେମ ଜଳେ ।।

କାହିଁ ଗଲୁ ମୋର    ଆତପ ନାଶିନୀ

        କରି ଦେଇ ମତେ ଏକା,

ଜଳୁଛି ବିରହେ    ଚାତକ ଯେମନ୍ତେ

        ନ ପାଇଣ ଘନ ଦେଖା ।।

ବରଷା କାଳରେ    କଦମ୍ବ ମୂଳରେ

        ଭାଷୁଥିଲୁ ପ୍ରେମ ମୁଦେ,

ତୁରନ୍ତ ଚପଳା    ଦେଖିଣ ଅବଳା

        ଲୁଚୁଥିଲୁ ମୋର ହୃଦେ ।।

ଆଜି ସେ ବରଷା   କରିଛି ନିରାଶା

        ଅଦିନିଆ ଝଡ଼ ଆଣି,

କଠୋର ହୃଦୟ    ତୋ' ବିନେ କୋମଳ

        ହେବ କି ସିଞ୍ଚିଲେ ପାଣି ?

ସରସ ବସନ୍ତେ    କୁସୁମ ହସନ୍ତେ

        ମହକ ଢାଳିଲୁ ପ୍ରାଣେ,

ଯୁବା ଯଉବନେ     ପ୍ରେମ ନିମଗନେ

        ବାସ୍ତବ ବିସ୍ମୃତ ଘ୍ରାଣେ ।।

 ରସହୀନ ଆଜି    ଗନ୍ଧହୀନ ଆଜି

        ତୋ' ବିନା ପରାଣ ମୋର,

କୋମଳ କମଳ    ମଉଳେ ଯେସନେ

        ତହିଁ ପଡ଼ିଲେ ଶିଶିର ।।

ଲେଖୁଅଛି ଶେଷେ    ପରାଣ ବିଳାସେ

        ନାହୁଁ ସିନା ମୋର ପାଶେ,

କାଳେ ଭ୍ରମି ପଥ    ଫେରିବୁ ଏ ପଥେ

        ପ୍ରାଣ ଅଛି ଏଇ ଆଶେ ।।


 ସୁରେନ୍ଦ୍ର କୁମାର ସାହୁ

 ଡୁଙ୍ଗୁରିପାଲି, ସୁବର୍ଣ୍ଣପୁର

ମୋ - ୯୮୬୧୧୨୯୮୪୬



Post a Comment

0 Comments