ଏ କି ଭାଇରସ୍ - ବେବୀ ନାଏକ

 



ବାସ୍ !
କେମିତି ଲାଗିଲା ?
ଆଧୁନିକତା ପିଠିରେ ବାହାବା ଦେଖାଇ
ଶ୍ରେଷ୍ଠ ମାନବର ଦରଜା ପାଇ
ତମ ମର୍ଦ୍ଦ ପଣିଆକୁ ଢେର୍ ଆନନ୍ଦ ତ ।

ହଁ କେତେ ବା ସମୟ ଲାଗିଲା
କଅଁଳିଆ ଜୀବନଟାକୁ ଖିନ୍ ବିନ୍ କରିବାକୁ
କଳଙ୍କିତ ଅଧ୍ୟାୟରେ ତା ନାଁ କୁ
ଲାଲ୍ ଅକ୍ଷରରେ ଗାର ଟାଣିବାକୁ ।

ଏଇ ତ କିଛି ଦିନ ହବ
ଷ୍ଟାଟସ୍ ରେ ନାରା ବାଜି କେତେ ଚାଲିଥିଲା
ପୁଅ ଝିଅର ଘମାଘୋଟ୍ ମହତ୍ୱ ବର୍ଣ୍ଣନା ।
କୁଆଡ଼େ ଗଲା ସେ
ଭାଗ୍ୟର ଜନ୍ମେଜୟ ପୁତ୍ର ଆଉ
ସୈାଭାଗ୍ୟର ସେ ଦୁହିତା ।

ଅତୀତରେ କେତେ ଯେ ନିର୍ଭୟା, କୁନ୍ଦୁଲି
ଆଉ ବର୍ତମାନ ଚେହେରାରେ ଏବେ ମନୀଷା-
ତେବେ କାହିଁକି ପ୍ରଶ୍ନ ନ ଆସିବ
ଭବିଷ୍ୟତରେ କାହାର ନାଁ ହବ !

କିଏ କହି ପାରିବ 
କଳଙ୍କିତ ଆଗତ ପୃଷ୍ଠାରେ,
କେଉଁ ନାରୀ ଉପରେ ତା ନଜର ଥିବ
ଉଠେଇ ନେଇ ଖାଇଯିବ 
ସେ ହେଟାବଳ ବାଘ ।

ଏଠି ଅଜଣା ବେମାର ପାଇଁ 
ଭୟ କଲେ କ'ଣ ଯେ ଲାଭ ?
ପ୍ରତି ଶୁନଶାନ୍ ଜାଗାରେ ତ
ଚେଇଁ ଉଠୁଛି ଡିଆଁ ମରା ଆଖି ।
କି ଲାଭ କେଉଁ ଏକ ମୁହୁର୍ତ୍ତରେ
ସ୍ୱାଧୀନତାର ଗୀତ ଗାଇବା,
ଏଠି ସେଠି ସବୁଠି ତ
ଜଣାଶୁଣା ଦେଖା ଭାଇରସ୍ ।


 ବେବୀ ନାଏକ

ଅମ୍ବାଭୋନା ବରଗଡ଼

Post a Comment

0 Comments