ପାଦ ପାଉଁଜିର ରୁଣୁ ଝୁଣୁ ଶବ୍ଦେ
ସୁରୂଜ ଆସଇ ଉଇଁ
ପ୍ରାତଃର ପୀୟୂଷ ପ୍ରୀତି ବିନ୍ଦୁ ଯେତେ
ପତ୍ରେ ଯାଏ ବିଞ୍ଚିହୋଇ
ଆମ ଅଗଣାରେ ଅତର ବାସ୍ନାରେ
ତୁମେ ଆସ ରହି ରହି
ମନ ନିଦାଘକୁ ଢାଙ୍କିଦିଏ ତୁମ
ପୂଣ୍ୟ ପଣତ ଛାଇ ।।
ପାଉଁଜି ତୁମର ଛମ ଛମ ଶବ୍ଦେ
କେତେ କଥା ଯାଏ କହି
ଓଢଣୀ ତଳେ ଯେ ଲାଜର ଲାବଣ୍ୟ
ଫଗୁଣ ଫେରି ଆସଇ
ମୋ ହୃଦୟ ଆମ୍ରକୁଞ୍ଜ ବନରେ
କୁହୁ ସ୍ବର ରଚୁଥାଇ
ମଧୂପ ମଧୁର ଗୁଞନ କରେ
ସେ ସୁରରେ ହଜେ ମୁଁହିଁ ।।
ପାଉଁଜି ତୁମର ସିହଁରଣ ତୋଳେ
ଶରତ ବି ଯାଏ ଚେଇଁ
ଟୋପି ଟୋପି ଛିଟା ଶିଶିର ମୁକ୍ତା
ପ୍ରତିଛବି ଆଙ୍କୁଥାଇ
ତମ ଆଖି ସହ ଆଖି ମୋର ମିଶେ
ହେଲେ କହି ପାରେ ନାହିଁ
ନିଶବ୍ଦରେ କେତେ ଶବ୍ଦର ଝରଣା
ଅନ୍ତର ଦିଏ ଭିଜେଇ ।।
ନାଲି ଅଳତା ଓ ପାଦ ପାଉଁଜିରେ
ରଙ୍ଗୀନ୍ ହୁଏ ଏ ମହୀ
ସ୍ମତିର ଶରଧା ସୁଶୀତଳ ବାଆ
ନିରବରେ ଯାଏ ଛୁଇଁ
ତୁମ ପାଦ ଚିହ୍ନ ପଦ୍ମ ପାଖୁଡାରେ
ମଗୁଶୁର ଆସୁଥାଇ
ପବିତ୍ର ପ୍ରଶାନ୍ତ ମନ ଅଙ୍ଗନେ ମୋ
ମଲ୍ଲୀ ମହକ ଛୁଟଇ ।।
ପାଦ ପାଉଁଜି ଓ ନାଲି ପାଟ ଶାଢୀ
ହାତରେ କଂକଣ ନାଇ
ନାରଙ୍ଗୀ ଓଢଣୀ ମଥାପରେ ଯେବେ
ଖସୁଥାଏ ଅଧାରହି
ମଥାମଣି ତୁମ ଝଟକି ଉଠଇ
ଶୁଭେ ସ୍ବର ସାହାନାଇ
ସପ୍ତ ରଙ୍ଗର ଅବିର ମୋ ଦେହେ
ସତେ ଯାଏ ବୋଳି ହୋଇ ।।
ସନ୍ଧ୍ୟା ଆସିଲେ ଜହ୍ନ ଉଅଁଇ
ଜୋଛନାକୁ ବୁଣିଦେଇ
ସେ ଜ୍ଯୋସ୍ନା ଜୁଆରେ ରୂପେଲି ପାଉଁଜ
ନୃତ୍ୟର ଛନ୍ଦ ତୋଳଇ
ଘୁମନ୍ତ ରାତ୍ରିର କୋଳେ ନିଶ୍ଚିନ୍ତରେ
ପଡେ ମୁଁ ଯେବେ ଘୁମେଇ
ମୋ ଛାଇ ନିଦରେ ତୁମ ପାଦ ଶବ୍ଦ
ଚୁପି ଚୁପି ଶୁଭୁଥାଇ ।।
ହାସ୍ୟମୟୀ ରାଜ୍
ଓରାଳି, ହାଟଡିହି, କେନ୍ଦୁଝର ।


0 Comments