ପାଦର ପାଉଁଜି - ସ୍ନିଗ୍ଧା ସାମନ୍ତରାୟ

 



ଷୋହଳ ଶୃଙ୍ଗାର ନାରୀର ଭୂଷଣ

ପାଦର ପାଉଁଜି ଶୋଭା

ଝୁମୁରୁ ଝୁମୁରୁ ନୂଆବଧୂ ଚାଲି

ଲାଗେ ଭାରି ମନ ଲୋଭା ।୧


ରାଧାର ପାଉଁଜି ରାସ କୁଞ୍ଜ ବନେ

ମଦନମୋହନ ପାଇଁ

କଦମ୍ବ ମୂଳରେ ବାଜିଲେ ବଇଁଶୀ

ରାଧା ଯାଏ ପାଣି ପାଇଁ ।୨


ଅପୂର୍ବ ସୁଷମା ସୌନ୍ଦର୍ଯ୍ୟ ଭରିଛି

ନାରୀର ପାଦଟି ସେଇ

ଶ୍ରାବଣ ଆକାଶେ ଶ୍ରାବଣୀ ନାଚୁଛି

ପାଉଁଜି ପ୍ରେମରେ ବାଇ ।୩


ଘରକୁ ସୁନ୍ଦର ଘରଣୀଟି ଥିଲେ

ପାଦ ସୁନ୍ଦର ପାଉଁଜି 

ଜହ୍ନର ଜୋଛନା ପାହାଡ଼ି ଝରଣା

ମଧୁର ମୂର୍ଚ୍ଛାନା ସାଜି ।୪


କୋଟି ପାରିଜାତ ପ୍ରସ୍ପୁଟିତ ହୁଏ

ପାଉଁଜି ଶବ୍ଦର ତାଳେ

ପ୍ରେମର ପରିଧି ଗଭୀରତା ଭାରି

ଲାଜୁଆ ଓଠର ତଳେ ।୫


ଗୁଣୁଗୁଣୁ ହୋଇ ଭ୍ରମର ଗାଉଛି

ନବ ବସନ୍ତକୁ ଖୋଜି

ମଧୁ ବସନ୍ତରେ ଅକୁହା ପ୍ରୀତିରେ

ବରଷା ନୁପୁର ବାଜି ।୬


ପାଉଁଜି ବିନା ଶୁଭ କାର୍ଯ୍ୟ ହୁଏନି

ଶାସ୍ତ୍ରରେ ରହିଛି ଲେଖା

ସୌନ୍ଦର୍ଯ୍ୟ ପ୍ରତୀକ ନାରୀର ମଙ୍ଗଳ

ଭୂଷଣେ ଆଶିଷ ରେଖା ।୭


*ସ୍ନିଗ୍ଧା ସାମନ୍ତରାୟ, ଚୁନଭାଟି, ଗୋପାଳ ଗାଁ, ବାଲେଶ୍ଵର*

Post a Comment

0 Comments