ପାଦର ପାଉଁଜି - ଦୀପ୍ତି ଦେବଦର୍ଶିନୀ ସୁତାର





ତୁମ ସେ ପାଦର ପାଉଁଜି ଶବଦ

ଯେବେ ଶୁଣାଯାଏ କାନରେ

ଆଖିରୁ ନିଦ ମୋ ହଜଇ ନିମିଷେ 

ମିଠା ମିଠା ସେଇ ସ୍ମୃତିରେ            ।1।


ପାଦପ ଦେହରେ ଅପରୂପ  ଶୋଭା

କୁସୁମ ପରଶେ ଭାସଇ

ପାଦର ପାଉଁଜି ବିନା  ଯେ ପୟର

ଶୂନ୍ୟ ଶୂନ୍ୟ ଦିଶୁଥାଇ                  ।2 ।


ରୁଣୁଝୁଣୁ ତୁମ ପାଦର ପାଉଁଜି

ମନ ମୋର କିଣି ନେଉଥାଇ

ତୁମକୁ ପାଖରେ ପାଇବାକୁ ସେଇ

ଶବଦ କୁ କର୍ଣ୍ଣ ଡେରିଥାଇ             ।3।


ଉପହାର ଦେବି ରଖିଛି ସାଇତି

ଝୁମୁକା ଲଗା ରୁପା ପାଉଁଜି

ହେଲେ ଦିନ ରାତି ବିତିଯାଏ ସିନା

ତୁମେ କାହିଁ ଦୁରେ ଯାଅ ହଜି            ।4।


ପାଦରେ ତୁମର ପିନ୍ଧାଇ ଦେବି ମୁଁ

ଅନେକ ସପନ ଦେଖିଅଛି

ଭଲପାଏ କେତେ କହିପାରେନାହିଁ

ପାଉଁଜି ଦେହରେ  ସାଇତିଛି            ।5।


କହିବୁ ବୁଝାଇ ପ୍ରିୟା କୁ ମୋହର

ପାଉଁଜିରେ ତତେ ଦେଲି ରାଣ

ତା' ପ୍ରୀତି ସାଗରେ ବୁଡ଼ାଇ ରଖିଛୁ

ଶୁଝି ପାରିବିନି ତୋ'ର ଋଣ             ।6।



ଦୀପ୍ତି  ଦେବଦର୍ଶିନୀ ସୁତାର

ଓରାଳି ,ହାଟଡିହୀ, କେନ୍ଦୁଝର -758083

Post a Comment

0 Comments