
ହୃଦ କନ୍ଦରରେ ସ୍ପନ୍ଦନ ଯେସନେ
ବିଚଳିତ କରେ ଚିତ୍ତ
ପାଦ ପାଉଁଜିର ରୁଣୁଝୁଣୁ ଶବ୍ଦେ
ମନ ହୁଏ ପ୍ରଫୁଲ୍ଲିତ ll1ll
ଗୋରା ପାଦେ ଯେବେ ପିନ୍ଧିଥାଏ ପ୍ରିୟା
ଘୁଙ୍ଗୁର ଲଗା ପାଉଁଜି
ପ୍ରେମିକ ହୃଦୟ ଆନ୍ଦୋଳିତ କରେ
ପାଉଁଜିର ଶବ୍ଦ ରାଜି ll2ll
ଲୋହିତ ରଙ୍ଗର ଅଳତା ଗାରକୁ
ରୂପା ପାଉଁଜି ପାଦରେ
ପାଦ ଯୁଗଳକୁ ଦେଖିଦେବା କ୍ଷଣି
ମନ ତ ଅସ୍ଥିର ଧରେ ll3ll
ହଳଦୀ ଟିକିଏ ମାଖି ଦେଲେ ପାଦେ
ବହୁତ ସୁନ୍ଦର ଦିଶେ
ରୁଣୁଝୁଣୁ ଶବ୍ଦ ପ୍ରେମିକ ହୃଦକୁ
ବାରମ୍ବାର ଖାଲି ଦଂଶେ ll4ll
ଭାବ ବିହ୍ୱଳିତ ପ୍ରେମିକ ହୃଦୟେ
ଭରେ ଅସ୍ତରଙ୍ଗ ପ୍ରୀତି
ଛମ୍ ଛମ୍ ଶବ୍ଦ କିମିଆ କରଇ
ଉନ୍ମାଦନା କରେ ମତି ll5ll
ହାତେ ଚୁଡ଼ି ପାଦେ ପାଉଁଜି ପିନ୍ଧିଲେ
ପ୍ରିୟା ସୁନ୍ଦର ଦିଶଇ
ସ୍ଵର୍ଗର ଅପ୍ସରୀ ସୌନ୍ଦର୍ଯ୍ୟେ କମନ୍ତି
ପାଉଁଜି ଯେବେ ପିନ୍ଧଇ ll6ll
ଶ୍ରଦ୍ଧାଞ୍ଜଳି ପଣ୍ଡା
ସମ୍ପାଦିକା କେଦାର ଭାରତୀ ସାହିତ୍ୟ ପତ୍ରିକା

0 Comments