ଶରତ - ସୁପ୍ରିୟା ପଣ୍ଡା

 




କାଶତଣ୍ଡି ର ଦୋହଳିତ ବେଶ 

ନଈପଠାର ବୁକୁରେ 

ଆଗମନ ହେଲା ଶରତ ତୁମର

ଋତୁଚକ୍ର ର ବଳୟରେ ।


ଭିଜେଇବ ନୀତି କେତେ ତନୁ ମନ

କାକର ବିନ୍ଦୁର ସ୍ପର୍ଶରେ 

ହଜେଇବ କେତେ ପ୍ରେମିକ ପ୍ରବର 

ପୂର୍ଣ୍ଣିମା ରାତିର ଜ୍ୟୋସ୍ନାରେ  ।


ଭସା ବାଦଲ ର ତାଳେ ତାଳେ

ସୁରୁଜ ଦିଶିବ ଆକାଶରେ

ସୁନ୍ଦରତା ର ମନୋହର ମନ୍ତ୍ର 

ଶୁଭିବ ମେଘର ମଲ୍ହାରେ ।


ସବୁଜ ଗାଳିଚା ଚକ ମକ ହେବ 

ଫଳ ଫୁଲ ର ସମ୍ଭାରେ

ଅନ୍ନ କ୍ଷେତ୍ରର ନେତ ଉଡ଼ୁଥିବ 

ସୂକ୍ଷ୍ମ ଶୀତଳ ସମୀରେ । 


ଫୁଟାଇବ କେତେ ପଦ୍ମ ପୁଷ୍କରିଣୀ

ତପନ ପ୍ଲାବିତ ତେଜରେ

ଜହ୍ନ ନ ରୁଷିବ ଏଇ ଡର ନେଇ

ହସ ବି ଭରିବ କଇଁରେ।


ପ୍ରସ୍ଫୁଟିତ ହୋଇ କଳିକା କୁସୁମ 

ବାସ୍ନା ଭରିବେ ପ୍ରାଣରେ

ନିର୍ମଳ କରିବ ପ୍ରକୃତି କୋଳକୁ 

ତୁମରି  ଛୁଆଁର ପୁଲକରେ ।


ପାର୍ବଣ ଋତୁ ର ଆରମ୍ଭ କରିବ 

ଘଣ୍ଟ ଘଣ୍ଟା ଶବଦରେ 

ଦଶଭୁଜା ମା ଅବତୀର୍ଣ୍ଣ ହେବେ

ପୁଣି ଏଇ  ମହି ମଣ୍ଡଳରେ  ।


ଖଡ୍ଗ ଧାରିଣୀ ମା ଜଗତଜନାନୀ

ଶକ୍ତି ସ୍ୱରୂପା ବେଶରେ

ମହିଷା ମର୍ଦ୍ଧିନି ମା ସିଂହବାହିନୀ

ଦୁଃଖ ହାରିବେ ସଂସାରେ।


ନିର୍ଜୀବ ମନେ ଆଶା ସଂଚାରି 

ଜିବନ ଭରିବ ପ୍ରାଣରେ 

ନୂତନତା ର ଦିଗଦର୍ଶନ ଦେଇ

ସ୍ମୃତି ସଜେଇବ ହୃଦରେ।


ଅଳ୍ପ ସମୟେ ସ୍ୱଳ୍ପ ମେଳାପେ 

ମୁଗ୍ଧ କରିବ ପୃଥ୍ବୀ ରେ 

ନିମନ୍ତ୍ରଣ କରି ଶୀତଳ ୠତୁକୁ 

ବାହୁଡ଼ିବ ପରିକ୍ରମଣରେ ।


ସୁପ୍ରିୟା ପଣ୍ଡା

ରସୁଲଗଡ଼ , ଭୁବନେଶ୍ୱର


Post a Comment

0 Comments