ଛବି କଥା କହେ - ସୁପ୍ରିୟା ପଣ୍ଡା



ଏକ ନୂଆ ଜୀବନର ଆୟୋଜନରେ

ଅନ୍ତନାଡୀ କୁ ମକଚା ମକଚି କରି

ଅୟୁତେ ବଳ ପ୍ରୟୋଗ କରି  

ହାଜରେ ସ୍ୱପ୍ନ ସଜାଡ଼ି 

କିଚିର ମିଚିର ଶବ୍ଦର କଳ୍ପନା

ଲୁଚକାଳି ଖେଳର ଉନ୍ମାଦନା 

ଥକା ମାରି ବସିବାର ସୁଖ 

ଫଲବନ୍ତି ହେବାର ଆଶା ଆଶଙ୍କା ରେ

ଗଭୀର ଆସକ୍ତିର ଗଭୀରତମ ପ୍ରଦେଶରେ

ମାଟି ପାଣି ପବନ ଖଞ୍ଜି 

କୈଶୋର ର କାଦୁଆ ହାତଟେ 

ଲମ୍ବିଲା ବେଳକୁ 

ହଠାତ

କିଛି ପାକଳ ହାତର ଛୁଆଁ 

ବାକ୍ୟ ବାଣ ର ଧାରୁଆ ଛୁରୀ

ଛି , ଉଠ , ପଳା , ଯା ପରି

ସମ୍ବୋଧନ କି ଆକ୍ଷେପ

ବିଛେଇ ଦେଉଥାଏ ଦୁର୍ବଳତା ।

ଯୋଜନ ଯୋଜନ ଦୂରକୁ 

ଘୁଞ୍ଚି ଯାଉଥାଏ ପଦ୍ମ

ନିରୀହ ଆଖି ଦୁଇଟି

ଉପହାସ କରୁଥାଏ 

ଧୋବ ଫରଫର ସମାଜକୁ ।


 ସୁପ୍ରିୟା ପଣ୍ଡା

ରସୁଲଗଡ଼ , ଭୁବନେଶ୍ୱର

Post a Comment

0 Comments