ଲୋକ ଦେଖାଣିଆ ପ୍ରକୃତି ପିରତି
ଦେଖାଇଲେ କିବା ହେବ
ଧରମକୁ ଆଖି ଠାର ମାରି ବାବୁ
କି ଯଶ ତୁମେ ପାଇବ।
କଲମ ଧରିବା ନରମ ହାତରେ
କୋଦାଳ ଧରାଇ ଦେଲ
ଶ୍ରମିକ ସଜାଇ ଖୋଳିବାକୁ ମାଟି
କଠୋର ଆଦେଶ କଲ।
ପରିଶ୍ରମ ବଳେ ଖୋଳି ଦେଇ ମାଟି
କରିଦେଲି ଯେଉଁ ଗାତ
ସେହି ସ୍ଥାନେ ଏବେ ବନ୍ଧୁ ଗହଣରେ
ଚାରା ପରା ତୁମେ ପୋତ।
ଗୋଟିଏ ଚାରାକୁ ଦେଖାଇ ସଭିଏଁ
ଉଠାଉଛ ବସି ଫଟ
ଶିକ୍ଷିତ ବାବୁ ଏ କହିବ କି ଥରେ
ଏଇ କି ଅଜବ ନାଟ।
ଦିନ ଦୁଇଟାରେ ନିଶ୍ଚେ ଶୁଖିଯିବ
ଏ କଅଁଳିଆ ପତର
ଜଳର ଅଭାବେ ପ୍ରଖର ଉତ୍ତାପେ
ଜଳିଯିବ ଦେହ ତା'ର।
ଆଜି ଲଗାଇବା ଚାରାଟି କାଲିକି
ତୁମର ମନେ ନ ଥିବ
ସେତେବେଳେ ଏହି କ୍ଷୁଦ୍ର ଉଦ୍ଭିଦର
ସୁରକ୍ଷା କିଏ କରିବ?
ନିବେଦିତା ମହାପାତ୍ର
ମୁକୁନ୍ଦ ମିଶ୍ର ନଗର ପୁରୀ


0 Comments