ଦାରିଦ୍ର୍ୟ କଷଣ ଦୁଃଖ ଆଭୂଷଣ
ଉଦର କ୍ଷୁଧାରେ ପୂର୍ଣ୍ଣ
ମୋ ଶିରେ ଲଦା ଯେ ବଡ଼ ଏକ ବୋଝ
ହୋଇଲିଣି ଜରାଜିଣ୍ଣ ।।
ଦୁନିଆଁ ଭିଡରେ ହୋଇଛି ଏକା ମୁଁ
ଆପଣାର କେହି ନାହିଁ
କିଏ ବା କାହିକିଁ ଶୁଣିବ ମୋ ଦୁଃଖ
ଅନାଥ ଅଟେ ଯେ ମୁଁହି ।।
ଜନମ ଦେଇଣ ମାଆ ଚାଲିଗଲା
ବାପା ଏବେ ଆରପାରେ
ମୁଁ ଏକା ବଂଚିଛି ମୋ ସାନ ସାଥିରେ
ଜାଣେ ନାହିଁ କେତେ ଦୂରେ ।।
କିଛି ବି ଜାଣେନା ଦୁନିଆଁ କିପରି
ଭଲ ଅବା ମନ୍ଦ ନୀର
କିପରି ବଞ୍ଚିବି ଜୀବନର ପଥେ
ଲାଗେ ଭାରି ମୋତେ ଡର ।।
ଆଖି ଥାଇ ମୁହିଁ ହୋଇବି କି ଅନ୍ଧ
ସମାଜର ଆଇନାରେ
ପାଠ ଶାଠ କିଛି ପଢି ପାରିବିନ
ଦାୟିତ୍ୱ ପରା ମୋ ମୁଣ୍ଡରେ ।।
ଅକୁହା ବେଦନା ଜଳୁଛି ଛାତିରେ
ଜାଳିଦିଏ ସବୁ ଆଶା
ମୋ ଭାଗ୍ୟରେ ଅଛି ଯାହା ଘଟିବାର
ଦଇବ ହିଁ ସାହା ଭରସା ।।
ବିଜୟ କୁମାର ଘଡେଇ,
ବାଲେଶ୍ଵର


0 Comments