ଛବି କଥା କହେ - ହାସ୍ୟମୟୀ ରାଜ୍




କୁନି ଭାଇଟିକୁ ମୋ କୋଳରେ ଛାଡି

କୁଆଡେ ଗଲୁଲୋ ବୋଉ

ମନେ ପଡୁନିକି  ଆମ କଥା  ତୋର

କେମିତି ଛାଡିକି ରହୁ  ।।


ବିକଳେ ଚାହିଁଛୁ ତୋ ଆସିବା  ପଥ

କେବେ ତୁ ଆସିବୁ କହ



କୁନି ପୁଅ କାନ୍ଦେ କଇଁ କଇଁ ହୋଇ

ଆଖିରେ ଅଜସ୍ର ଲୁହ  । ।


ଆଖିର ପଲକ ପଡେ ନାହିଁ ଜମା

ଦେଖୁଛି ମୁଁ ତାର ମୁହଁ

ମୋକଥା ମୁ ଆଉ ଭାବୁନି ଲୋ ବୋଉ

କେମିତି ଭାବିବି କହ ।। 


ଭାବିଥିଲି ଦିନେ ଇସ୍କୁଲ୍ ମୁଁ ଯିବି

ରାନୀ ମାନୀ ବୁନି ସହ 

ବସ୍ତାନି ମୋର ଲୋଟୁଛି ଭୂଇଁରେ

ଜୀବନେ ଭରିଲୁ କୋହ  ।।


ବାପା ମୁହଁ କେବେ ଦେଖି ନଥିଲି ମୁଁ 

ହେତୁ ହେଲା ଦିନୁ ମୋର 

ତୋ ପଣତ କାନି ତୋ ହାତ ଆଉଁସା 

ସାହା ଥିଲା ଜୀବନର ।। 


ପରକରି ମୋତେ ଚାଲିଗଲୁ ଦିନେ

ତାତିଥିଲା ଦେହ ତୋର 

ଯେତେ ଡାକୁଥିଲି ଶୁଣିଲୁନି ଆଉ 

ଶୁଭିଲାନି ତୋର ସ୍ବର ।।


ଦଇବ ଲେଖିଲା ଆମରି ଭାଗ୍ଯରେ

କାହିଁକି ଏମିତି ଦୁଃଖ

ଫୁଟି ମହକିବା ପୂର୍ବରୁ ଜୀବନେ

ସରିଗଲା ଆମ ସୁଖ  ।। 


ଏଇଠି ବସିଛି ଚାହିଁଛି ସାମ୍ନାକୁ

ଆସିବେ କି ଦେବ ଦୂତ

କୁନି ପାଦରେ ମୋ ଶକ୍ତି ଭରିବାକୁ

ବଢାଇବେ ପୁଣ୍ଯ ହାତ  ।। 


ସନ୍ଧ୍ୟା ଆସିବ ଅନ୍ଧକାରରେ

ଲୁଚିଯିବ ଆମ ମୁହଁ

ଆଲୋକର ପଥ ଦେଖାଇ ଦିଅହେ

ତୁମେ ଯଦି ଦୟାମୟ  ।। 



ହାସ୍ୟମୟୀ ରାଜ୍ 

 ଓରାଳି, ହାଟଡିହି, କେନ୍ଦୁଝର ।

Post a Comment

0 Comments