ଦୁଖଃ ପରେ ସୁଖ ସୁଖ ପରେ ଦୁଖଃ
ଏତ ସୃଷ୍ଟିର ନିୟମ
ଜନ୍ମ ପରେ ମୃତ୍ୟୁ ମୃତ୍ୟୁ ପରେ ଜନ୍ମ
ହୁଏନାହିଁ ବ୍ୟତିକ୍ରମ ।।
ଦିନପରେ ରାତି ରାତିପରେ ଦିନ
ଛାଇ ଆଲୁଅର ଖେଳ
ଜୀବନର ଗତି ସଂଚାଳିତ କରେ
ଶାଶ୍ୱତ ଯେ ମହାକାଳ ।।
ପିତୃ ମାତୃ ହରା ଅନାଥ ଶିଶୁ ଏ
ନାହିଁତା ଘର ଠିକଣା
ରାଜ ରାସ୍ତା ଅବା ଦ୍ୱାର ଦ୍ୱାର ବୁଲି
ଧରି ଥାଏ ଭିକ୍ଷା ମୁଣା ।।
ପିଠିକୁ ଖଣ୍ଡେ କନା ପେଟକୁ ଦାନା
ରହିଥାଏ ବୋହୂ ଦୁରେ
ଏ ଛୋଟ ଶିଶୁ ସରଳ ନିଷ୍କପଟ
କୋମଳ ହୃଦୟତାରେ ।।
ନା ଅଛି ବସା ନା ଅଛି କିଛି ଆଶା
ନା ଅଛି କେହି ଭରଷା
ମୁକୁଳା ଆକାଶ ତଳେ ବିତୁଥାଏ
ତାଙ୍କ ଜୀବନର ତୃଷା ।।
ନା ଅଛି ସ୍ନେହ ପ୍ରେମ ଶ୍ରଦ୍ଧା ଉଦାରତା
ତାଙ୍କୁ କୋଳେଇ ନେବାକୁ
ମୁଣ୍ଡକୁ ଆଉଁସି ପିଠିଥାପୁଡ଼େଇ
ଆଦରେ ଶୁଆଇ ବାକୁ ।।
ସଂସାର ସାଗରେ ଆକୁଳ ହୃଦୟେ
ନୟନୁ ନୀର ଝରାଇ
ଛାତିର କୋହକୁ ଛାତିରେ ଜାବୁଡି
ଧର୍ଯ୍ୟର ନାଵ ବୁହାଇ ।।
ଜାଣେନି ଠିକଣା ତାର ଶେଷସୀମା
କେଉଁଠି ବା ତା ଆରମ୍ଭ
ଜୀବନର ଦୀପ କେଉଁଠି ଜାଳିବ
କେବେ ନିର୍ବାପନ ହେବ ।।
ଧୂଳି ମାଟି ଗୋଡି ବୋହୁ ଚୋରି ଖେଳ
ବୟସ ଏବେ ଚାଲୁଛି
କଅଁଳ ବୟସେ ଏତେ ଦୁଃଖ ବୋଝ
ମୁଣ୍ଡରେ ସେ ବୁହାଉଛି ।।
ମିଠା ମିଠା କଥା ମହୁ ଝରାଇସେ
ସଭିଙ୍କ ମନ ମୋହନ୍ତା
ପିତା ମାତା ପାସେ ଅଳିସେ କରିଣ
ସୁଖ ଶାନ୍ତି ପାଇଥାନ୍ତା ।।
ଭାଇର କ୍ରନ୍ଦନ ଆକୁଳ ଚିତ୍କାର
ତା ମନ କରେ ଆକଟ
ମମତା ଡୋରୀରେ ଭାଇକି କୋଳେଇ
ଚାଲୁଥାଏ ସିଏ ବାଟ ।।
ମାଆ କୋଳ ମାଆ ପଣତ ଛାଡ଼ିସେ
ରହିଲେ ବହୁତ ଦୁର
ଭାଇ ବନ୍ଧୁ ସାଙ୍ଗ ସାଥି ବିଦ୍ୟାଳୟ
ଭାଗ୍ୟ କଲା ସାତ ପର ।।
ହେ ବିଶ୍ୱ ନୀୟନ୍ତା ଜଗତ କରତା
ସାହା ହୁଅ ତୁମେ ବାରେ
ଏତିକି ବିନତୀ ତୁମ ପାଦେ ପ୍ରଭୁ
ଉଣା ନ କରିବ ତାରେ ।।
ଅନସୂୟା ମଲ୍ଲିକ
ଶିକ୍ଷୟିତ୍ରୀ, ମାର୍କଣ୍ଡପୁର, ଯାଜପୁର
ତା-୦୧ ,୦୫,୨୦୨୧


0 Comments