ଲୋକଙ୍କୁ ଗୋଟିଏ ପ୍ରଶ୍ନ
ପଚାରି ବସ-
ତୁମେ, ତୁମର କେଉଁ ଅବସ୍ଥାକୁ
ଫେରିବାକୁ ଚାହଁ,
ପ୍ରାୟ ଉତ୍ତର ଆସିବ ଗୋଟାଏ-
ଶୈଶବ ।
ଶୈଶବ- ଏକ ମଧୁମୟ ଅବସ୍ଥା,
ଭରି ରହିଥାଏ ମେଞ୍ଚା ମେଞ୍ଚା ସୁଖ ।
ଖେଳକୁଦରେ କଟିଯାଏ
ଦିନ ସବୁ...
ମନରେ ନ ଥାଏ
ଦୁଃଖ,
ନ ଥାଏ କାହା ପ୍ରତି
ଈର୍ଷା ଅସୂୟା କି ଆବିଳତା ॥
ଏକ ନିର୍ମାୟା ଅବସ୍ଥା ତ ଶୈଶବ।
ଏଠି ନ ଥାଏ
ଜୀବନ ସଂଗ୍ରାମର ଭୟ ॥
ଝିଅଟିର ଭାଗ୍ଯଲିପି
କିନ୍ତୁ ଅଲଗା,
ଅନାଥ ଜୀବନରେ
ଅଭାବ ଅନାଟନ ଆଉ ଦୁଃଖ ତ
ଚିର ସହଚର।
ଯେଉଁ ହାତେ ଖେଳଣା ଧରି ଖେଳନ୍ତା
ସେ ହାତେ ଛୋଟ ଭାଇର ବୋଝ,
ବୋଝ ନୁହେଁ ତ
ଦାୟିତ୍ବ।
ଭରଣପୋଷଣ କରିବାର ଦାୟିତ୍ବ
ମଣିଷ ପରି ମଣିଷ କରିବାର ଦାୟିତ୍ବ।
କୁନି ଭାଇକୁ ନେଇ
ଅଭାଗିନୀ ଝିଅଟି ଦେଖେ
କେତେ କେରା କେରା ସ୍ବପ୍ନ ।
ସେସବୁ ପୂରଣ ହେବ କି
ନ ହେବ,
ସେକଥା କିଏ ଜାଣେ ???
ଭାଇ ମୁହଁରେ ଦି ଓଳି ଦି ମୁଠା
ଖାଇବା ଯୋଗାଇବା ଲାଗି
ଅହରହ କରିଚାଲେ
ଜୀବନ ସଂଗ୍ରାମ।
ତା' ପାଖରେ ନ ଥାଏ
ଶୈଶବର ଲେଶମାତ୍ର ଚିହ୍ନ,
ଶୈଶବ ତା' ପାଇଁ
ଅଲୋଡା, ଅଭିଶପ୍ତ।
ସେ ଜଣେ ପାକଳ ମଣିଷ,
ହାତରେ ତାହାର ଅଛି
ଭାଇର ଦାୟିତ୍ବ।
ଶରତ ଚନ୍ଦ୍ର ମହାନ୍ତ
କେମ୍ପସଡା, କେନ୍ଦୁଝର


0 Comments