ଶାଶ୍ୱତ ପ୍ରେମର ସ୍ବର୍ଣ୍ଣିମ ଅକ୍ଷରେ
ହେବା ପାଇଁ ଲିପିବଦ୍ଧ
ଅନ୍ତର ଆବେଗେ ଜହ୍ନ ଆଲୋକରେ
ରାତି ସାରା କଲ ଯୁଦ୍ଧ ।
ଦୁଇଟି ମନ ଓ ଦେହର ମିଳନେ
ଫଳାଫଳ ଆମେ ଦୁହେଁ
ପରିଚୟ ଶୁନ୍ୟ, ବିଧି ଅଭିଧାନ
ଅନାଥ ଆମକୁ କହେ ।
କଅଁଳ ବୟସ ହୁଅଇ ଅବଶ
କଲେ ଅଳ୍ପ ପରିଶ୍ରମ
ପ୍ରଶ୍ନବାଚୀ ଆମେ ଦୁନିଆ ଆଗରେ
ଧୂଳିମଳି ଆମ ସ୍ବପ୍ନ ।
ଭାଇ ଓ ଭଉଣୀ ଅନେକ କାହାଣୀ
ଆମ ହୃଦୟରେ ଥୁଆ
ଅସହ୍ୟ ଯନ୍ତ୍ରଣା ମଳିନ ଗଞ୍ଜଣା
ଦୁନିଆ କରେନି ଆହା ।
ଶହ ଶହ କୋଟି ମନ୍ଦିର ନିର୍ମାଣେ
କରିପାର ତୁମେ ଦାନ
ଅଥଚ କଦାପି ମନ ବଳେ ନାହିଁ
ଦେବାକୁ ମୁଠାଏ ଅନ୍ନ ।
ଏଣେ ତେଣେ ଖଟି ଅଳପ ଟଙ୍କାରେ
ଆଣେ କୁନି ପାଇଁ କ୍ଷୀର
ଦେବା ବଦଳରେ ଠକାଏ ଦୋକାନୀ
ଅଳ୍ପ ଖାଇ ହୁଏ ଜର ।
ଭଉଣୀ ମୋ ପାଇଁ ଅମୂଲ୍ୟ ସମ୍ପଦ
ଟିକି ହାତେ ଖଟି ପାଳେ
କେବେ ଓପାସରେ ରାତି ଉଜାଗରେ
ଭୋକର ପେଟ ମୋ ଜଳେ ।
କାହାକୁ କହିବି କିଏ ବା ବୁଝିବ ?
ଖଡ଼ି ଧରା ଟିକି ହାତ
ସେଇ ହାତେ ପୁଣି କୋଡ଼ି ଓ କୋଦାଳ
ଧରେ ଖାଇବାକୁ ଭାତ ।
ମାତା ପିତା ସ୍ନେହ ଆମ ପାଇଁ ସ୍ବପ୍ନ
ମାଲିକର ମିଳେ ମାଡ଼
ସହି ହୁଏ ନାହିଁ ନରମ ଶରୀର
ଖରା, ବରଷା ଓ ଜାଡ଼ ।
ଦୁଃଖ ଓ ଯନ୍ତ୍ରଣା ପ୍ରିୟଜନ ଯେହ୍ନେ
ରହିଥାନ୍ତି ସାଥି ହୋଇ
ଖାଇବା ପିଇବା ରହିବା ଶୋଇବା
କନା ଖଣ୍ଡେ ମିଳେ ନାହିଁ ।
କବି ଲେଖେ ବସି ଇତିହାସ ପୋଥି
ବୁଝେନି ନରମ ମନ
ଉତ୍ତର ଖୋଜୁଛୁ ଦେଇକି ପାରିବ
କାହା ପାଇଁ ଆମ ଜନ୍ମ ?
କାହ୍ନୁ ଚରଣ ସାହୁ
ପଣ୍ଡକାମାଳ, ମ.ରାମପୁର, କଳାହାଣ୍ଡି
ସମ୍ପାଦକ: ସୃଷ୍ଟି ସମ୍ଭାର ସାହିତ୍ୟ ଇ-ପତ୍ରିକା
ମୋ: 8249520880


0 Comments