ଶଇଶବ ମୋର ଉଜୁଡି ଯାଇଛି
ହତଭାଗିନୀ ଟେ ମୁହିଁ
ପିତାମାତା ମୋର ଜହ୍ନ ରାଇଜ ରେ
ସାହାରା ମୋ ନାହିଁ କେହି
କୋଳ ରେ ସୁନା ଭଉଣୀ
କେମିତି ମୁଁ ତାକୁ ମଣିଷ କରିବି
ପାରୁନି ମୁଁ ଆଜି ଜାଣି ।
ଧୂଳି ଖେଳିବାର ବୟସ ମୋହର
ସେ ଭାଗ୍ୟ ମୋହର ନାହିଁ
କାହିଁକି ଏମିତି ଭାଗ୍ୟେ ମୋ ଲେଖିଛ
ଦୀନ ଜନ ଭାବଗ୍ରାହୀ
ଯଦି ଦୁଃଖ ଦେଇଅଛ
ସହିବା ପାଇଁ ମୋ ହୃଦେ ବଳ ଦିଅ
ନୋହିବି କେବେ ବିମୁଖ ।
ସଂସାର ପଥରେ କେମିତି ଚାଲିବି
ଛୋଟ ପିଲାଟିଏ ମୁହିଁ
ମୋ କାନ୍ଧେ ବହିଛି ଆଉ ଏକ ପ୍ରାଣ
ଦୁଃଖେ ଦିନ ସରୁ ନାହିଁ
ପଥ ମୋର ବହୁ ଦୂର
ଛୋଟ ପିଲାଟି କି ମଣିଷ କରିବି
ବଳ ଦିଅ ହେ ଠାକୁର ।
ଲୁହ କରିଦିଏ ମନକୁ ଦୁର୍ବଳ
ବହିବାକୁ ଦେବି ନାହିଁ
ଏକାକୀ ଚାଲିବି ଦୁନିଆ ଦାଣ୍ଡରେ
ନଥାନ୍ତୁ ସାଥେ ମୋ କେହି
ହେ ଈଶ୍ୱର ହୁଅ ସାହା
ତୁମ ଦେଖା ପଥେ ଚାଲିବି ନିତି ମୁଁ
ଦେଖାଇବ ମୋତେ ରାହା ।
ନଥିଲେ ନଥାନ୍ତୁ ପ୍ରିୟଜନ ପାଖେ
ପଥ ଚାଲିବି ମୁଁ ଏକା
ଦୁଃଖ ପରେ ସୁଖ ଆସଇ ଜଗତେ
ଏହାତ ହୋଇଛି ଲେଖା
ହୃଦୟ କୁ କରି ଟାଣ
ଲୁହ ପୋଛି ଦେଇ ଆଗକୁ ଚାଲିବି
ଆଜିଠୁଁ କରୁଛି ପଣ ।
ପ୍ରତାପ କିଶୋର ରାଉତ
ତେନ୍ତୁଳିପଦୀ,କେନ୍ଦୁଝର
ମୋ-8327725033


0 Comments