ପରିସ୍ଥିତି ଛାଡେ ବିକଟାଳ ରଡି
ନିସ୍ତବ୍ଦ ସାଜିଛି କାୟା
ଶିଶୁ ଶ୍ରମିକ ମୁଁ ଭୋକରେ କାନ୍ଦୁଛି
କର ହେ ପ୍ରଭୁ ସୁଦୟା ।।
ମାଆ ବାପା ମୋର ସ୍ଵର୍ଗରୁ ଅନାଇଁ
କହନ୍ତି ଲଢ଼ିବା ପାଇଁ
ନିର୍ବୋଧ ଶିଶୁ ମୁଁ ଜଣା ନାହିଁ କିଛି
ସାଥିରେ ପୁଣି ମୋ ଭାଇ ।।
ଯେତେ ବୁଝାଇଲେ ରାହା ଧରି କାନ୍ଦେ
ଭୋକକୁ ପାରୁନି ସହି,
କି କରିବି ବୋଲି ଯେତେ ଭାଳି ହେଲେ
ଉତ୍ତର ମିଳୁନି କାହିଁ ।।
ପଥର ଫଟାଇ କିଛି ମିଳିଯିବ
ଭାବୁଥିଲା ମନ ମୋର,
ଶିଶୁଟିଏ ବୋଲି ନିର୍ଯ୍ୟାତନା ପାଇ
ହୃଦୟ ହେଲା ପଥର ।।
ମଣିଷ ଭିତରେ ମଣିଷ ପଣିଆଁ
ପାଇଯିବି ଯେଉଁ ଦିନ,
ବଞ୍ଚିବାର ପାଇଁ ପ୍ରେରଣା ପାଇବି
ଦୁଃଖ ହୋଇବ ମୋଚନ ।।
ଆଜି ଠାରୁ ପଣ କରୁଅଛି ମୁହିଁ
ଦୁଃଖରେ କାନ୍ଦିବି ନାହିଁ,
ଅବଶ୍ୟ ବଞ୍ଚିବି ଉଚ୍ଚମନା ହୋଇ
ଶକ୍ତି ଦେବ ଭାବଗ୍ରାହୀ ।।
ସରୋଜ କୁମାର ସାହୁ
ଲଇକେରା,ଝାରସୁଗୁଡା


0 Comments