ଛବି କଥା କହେ - ସବିତା ନାୟକ



ଶୋଇଯା ମୁନାରେ ଶୋଇଯା ମୋ ମୁନା

ଆଖିରେ ସପନ ଭରି

ମାଆ ତ ଯାଇଛି କାମ କରିବାକୁ

ଫେରି ନେବ କୋଳକରି।


ଏ ବିଶାଳ ଆକାଶ ଆମର ଛାତ

ଡରନାହିଁ ଭୟନାହିଁ

ସାହାରେ ଆମକୁ ସେହି ଚକାଆଖି

ମୋ କୋଳେ ଶୋଇଯା ତୁହିଁ।


ସମସ୍ତେ ଧାଆଁନ୍ତି ସ୍ବାର୍ଥର ପଛରେ

ଆମକୁ କିଏ ଚାହିଁବ

ଅଭାବି ମଣିଷ ସମସ୍ତଙ୍କ ଚେଲା

ଗୁହାରି କିଏ ଶୁଣିବ?


ଶ୍ରମିକ ଜୀବନ ଭାରି ହିନୀମାନ

ଘରନାହିଁ ଦ୍ବାରନାହିଁ

ବୁଲି ବୁଲି ଯାଏ ସିନା ଆମ ଦିନ

କେହି ତ ବୁଝନ୍ତି ନାହିଁ।


ସରକାରଙ୍କର କେତେ ଯେ ଯୋଜନା

ଗରିବ ଗୁରୁବା ପାଇଁ

ପେପରେ ବାହାରେ ନିତି ନିତି ସିନା

କାଗଜରେ ଯାଏ ରହି।


ଶିଶୁଏ କୁଆଡେ ଦେଶ ଭବିଷ୍ୟତ

ଶୁଣିଛି ମୁଁ ନିତି ନିତି

ସେହି ଶିଶୁମାନେ ରାସ୍ତାରେ ବୁଲନ୍ତି

ଭୋକ ଉପାସରେ ନିତି।


ଗରିବ ସିନା ମୁଁ ହଜାରେ ସପନ

ତୋ ଆଖିରେ ଭରିଦେବି

ଦିନରାତି ଖଟି ତୋ ପାଇଁରେ ନିତି

ହାକିମ ତୋତେ କରିବି।


ଅରକ୍ଷର ରକ୍ଷ ଭକ୍ତର ବାନ୍ଧବ

ତୁମେପରା ଦୀନବନ୍ଧୁ

ସାହା କେହିନାହିଁ ତୁମରି ବିନା ହେ

ସାହାହେବ କୃପାସିନ୍ଧୁ।


ସବିତ ନାୟକ

ଶିକ୍ଷୟିତ୍ରୀ

ମାଧବାନନ୍ଦ ଜିଉ ସରକାରୀ ଉଚ୍ଚ ବିଦ୍ୟାଳୟ

ମାଧବ,ନୀଆଳି,କଟକ

Post a Comment

0 Comments