ଛବି କଥା କହେ - ଦୀପ୍ତି ଦେବଦର୍ଶିନୀ ସୁତାର





କାହିଁ ଗଲୁ ମାଆ ଲୋ ତୁ 

ମାଡି ଆସେ ରାତି

ଭୋକରେ କାନ୍ଦୁଛି ପୁଅ

ବୁଝୁନୁ କେମିତି   ।।


ତୁ ସିନା ଯାଉଛୁ ଚାଲି

ଖାଦ୍ୟ ସନ୍ଧାନରେ

ମୁଁ  ଓ ପୁଅ  ରହିବୁକି

ବିନା ତୋ ସାହାରେ     ।।


ଜାଣୁଛି ମୁଁ ଆମ ଭାଗ୍ୟ

ଖଟି ମଜୁରିଆ

କାମ କରି ପେଟ ପୋଷୁ

ଦୁଃଖୀ ନିର୍ଜୋରିଆ       ।।


ସକାଳ ସିନା ଆସଇ

ନେଇ କେତେ ଆଶା

ମାଆ ତୁ ଲୋ ଗଲେ ଛାଡି

ଉଡ଼ିଯାଏ ହଂସା     ।।


ଧୂଳିଘର ଖେଳ ଟିକେ

ଇଛା ଖେଳିବାକୁ

ପାଦ ମୋର ଉଠେନାହିଁ

ଅନାଇ ପୁଅ କୁ      ।।


ସତେ କ'ଣ  ଆମ ପାଇଁ

ଏଇ  କର୍ମ ଥୁଆ

ଖଟି ଖାଉଥିବା ହୋଇ

ଦିନ ମଜୁରିଆ      ।।


ମୁଁ ବଡ଼ ହୋଇ ଭାବୁଛି

ଦୁଃଖ ତୋ ହରିବି

ପାଠ ପଢି ନିଶ୍ଚେ ଦିନେ

ସୁନାମ ରଚିବି        ।।


ମୋ ପରିଶ୍ରମ ବଳରେ

ଆମ ଭଙ୍ଗା ଘର

ବଦଳି ହସି ଉଠିବ

ହୋଇ ଛାତ ଘର    ।।


ମୋ ଟିକି ଭାଇ ହୋଇବ

ଭାରି ବଡ ଲୋକ

ମାନ ସମ୍ମାନ ପାଇବୁ

ହେଲେ ବି ଶ୍ରମିକ       ।।


ଆସୁନାହୁଁ କାହିଁ ତୁ ଯେ

କାନ୍ଦିଲାଣି ପୁଅ

ହେ ପ୍ରଭୁ ଟିକେ କରୁଣା 

ଆମ 'ପରେ ଦିଅ       ।।





ଦୀପ୍ତି ଦେବଦର୍ଶିନୀ ସୁତାର

ଓରାଳି ,ହାଟଡିହୀ ,କେନ୍ଦୁଝର -758083

Post a Comment

0 Comments