ରୀଦ୍ଧି ସିଦ୍ଧି ଦାତା ଜ୍ଞାନର ବର୍ତ୍ତିକା
ଆହେ ପ୍ରଭୁ ଲମ୍ବୋଦର
ବିଦ୍ୟାର ବାହକ ବୁଦ୍ଧି ଦାତା ତୁମ
ମାତା ଶୈଳ ପିତା ହର ।
ତବ ଜନ୍ମ୍lତିଥ୍ୟେ ଭାଦ୍ରବ ଆତିଥ୍ୟେ
ହେଉ ଆମେ ସଜବାଜ
ଶରତର ଶୁଭ ଶାରଦୀୟ ତୁମେ
ଆସ ଅଗ୍ରପୂଜ୍ୟ ଆଜ ।
ଅବତର ପୁଣି ସ୍ଵର୍ଗରୁ ମର୍ତ୍ତ୍ୟକୁ
ମୁର୍ଖ ଙ୍କ ଉତ୍ଥାନ ପାଇଁ
ବିଦ୍ୟାଳୟ ଆଉ ବାଣିଜ୍ୟ ପ୍ରତିଷ୍ଠା
ହସେ ଖିଲିଖିଲି ହୋଇ ।
ତୁମ ଆବାହନେ କେତେଯେ ମଉଜ
କରିଥାଉ ଆମେ ସଭିଁ
ନୂଆ ବସ୍ତ୍ର ପିନ୍ଧି ସାଥିହୋଇ ବୁଲୁ
ଭୋଜି ପିଠା ପଣା ଗେବି ।
ନାନା ରକମର ଜରି ପତକା ଓ
ଶାଢୀ ଫୁଲ ଆଉ ଫଳେ
ସୁସଜ୍ଜିତ କରୁ ମଣ୍ଡପ ଆସ୍ଥାନ
ଆପଣା ସକ୍ଷମ ବଳେ ।
ବହି ଖାତା ଖଡ଼ି କଲମ ପେନସିଲ
ବସାଉ ସଜ ଯେ ଆମେ
ନିବିଡ ଭକ୍ତିରେ ପୁଷ୍ପାଞ୍ଜଳି ଦେଉ
ସାକ୍ଷୀ ଅଛ ପ୍ରଭୁ ତୁମେ ।
ପୂଜା ନୈବେଦ୍ୟରେ ଭକ୍ତିଅର୍ଘ୍ୟ ଦେଇ
ମାଗିଥାଉ ବିଦ୍ୟା ବୁଦ୍ଧି
ଶାନ୍ତ ସରଳ ଏ ପାପୁଲିରେ ଆମ
ଢ଼ାଳି ଦିଅ ସବୁ ସିଦ୍ଧି ।
ନିଷ୍କପଟ ହୃଦେ ବାଢି ଦେଇଥାଉ
କୁନି ଆଶା ଅଭିଳାଷା
ମନୋରଥ ସବୁ ପୂର୍ଣ୍ଣ କରିଦିଅ
ନିଷ୍ଠାରେ ଭରି ଜିଜ୍ଞାସା ।
ସକାଳରୁ ସଞ୍ଜ ହୋଇଯାଏ ହେଲେ
ମନ ତ ଭରେନା ଟିକେ
ତୁମ ପ୍ରତିଛବି ମନ ତଳେ ଜାକି
ଘର ବାହୁଡ଼ା କୁ ହାକେ ।
ଭାରି ଦୁଃଖ ଲାଗେ ବିସର୍ଜନ ବେଳେ
ଆଖି ଭାରି ଯାଏ ସତେ
ଆହେ ବିଘ୍ଣହର୍ତ୍ତା ଆଗତ ବର୍ଷକୁ
ରହୁ ଯେ ଅପେକ୍ଷା ରତେ ।
ଛବିରାଣୀ ପତି, ମଧ୍ୟ ଶାସନ,
ବିରିଡ଼ି, ଜଗତସିଂହପୁର ।
ଫୋନ୍ - ୯୩୩୭୯୬୦୦୬୦

0 Comments