ଛବି କଥା କହେ - ବିଜୟ କୁମାର ତାଣ୍ଡି


ଶିଶୁ ଅଟେ ମୁହିଁ ଜାଣିନାହିଁ କିଛି

                 ତୁମ ପୂଜା ଧର୍ମନୀତି,

ହେ ଲମ୍ବୋଦର ଜ୍ଞାନର ସାଗର

                ଦିଅ ପ୍ରଭୁ ଜ୍ଞାନ ବୁଦ୍ଧି ।


ଆହେ ଗଣପତି ତୁମରି ପାଖକୁ

              ଆସିଅଛି ମୁଁ ଯେ ଧାଇଁ ,

ଧନ୍ୟ ହେଲି ପ୍ରଭୁ ତୁମ ଦରସନେ

                ତୁମ୍ଭରି କରୁଣା ପାଇ ।


ଦୁଃଖକଷ୍ଟ ସବୁ ହରି ନିଅ ପ୍ରଭୁ

                ତୁମେ ତ ବିଘ୍ନ ନାଶନ,

ଦେଖିଲି ଯେବେଠୁ ତୁମ ବକ୍ରତୁଣ୍ଡ

         ଧନ୍ୟ ହେଲା ମୋ ଜୀବନ ।


ଗଜମୁଖ ସାଥେ ଆହେ ବିନାୟକ

                ଶୋଭାପାଏ ଏକଦନ୍ତ,

ଦର୍ଶନ ମାତ୍ରକେ ମନ ମୋ ଉଜ୍ଵଲେ

           ଦୁଃଖହେଲା ମୋର ଅନ୍ତ ।


ଦେଖାଇଲ ତୁମେ ଶିଶୁ ଅବତାର

           ମୋ ପାଇଁ ଦିବ୍ୟର ଛାୟା,

ଏ ଦୁନିଆଁକୁ ମୁଁ ଯେ ଭୁଲିଯିବି ପ୍ରଭୁ

             ପାଇ ତୁମ ସ୍ନେହି ମାୟା ।


ତୁମରି କରୁଣା ପାଇ ଗଜାନନ

                ମିଳିବ ଯେ ଆତ୍ମଶକ୍ତି ,

ସାଥିରେ ମୋହରି ଥିବ ପ୍ରଭୁ ପାଖେ

             ପାଇବି ଜ୍ଞାନର ଜ୍ୟୋତି  ।


ବିଜୟ କୁମାର ତାଣ୍ଡି

ରେଙ୍ଗାଲି,ପାଟଣାଗଡ,ବଲାଙ୍ଗିର ।

Post a Comment

0 Comments