ଛବି କଥା କହେ - ସମ୍ପଦ କୁମାର ବେହେରା


ସରକାର ପରା ବାରଣ କରିଲେ

ବିଦ୍ୟାଳୟେ ପୂଜା ନାହିଁ

ଧାଇଁ ଆସିଛି ମୁଁ ମୂର୍ତ୍ତି ଦୋକାନକୁ

ତୁମକୁ ଦେଖିବା ପାଇଁ।


କହୁଛି ପିଲାଟି ଅତି ବିନୟରେ

କି ଦୋଷ ଆମେ ତ କଲୁ

ହେ ବିଦ୍ୟା ଦେବତା ତୁମର ପୂଜାରୁ

ବଂଚିତ କାହିଁକି ହେଲୁ।


ଆହେ ଗଣପତି କରୁଛି ବିନତି

ମୋତେ ଦିଅ ଦରଶନ

ପୂଜାବିଧି ଜାଣିନାହିଁ ମୁଁ ଅଧମ

ମୋ ଗୁହାରି ଟିକେ ଘେନ।


ବିଦ୍ୟା ବୁଦ୍ଧି ଦିଅ ଆହେ ଗଜାନନ

ମୁଁହି ତୁମ କୁନି ଭକ୍ତ

ମୋତେ ବାରେତୁମେଆଶୀଷଦିଅହେ

ଆହେ ବିଘ୍ନବିନାଶକ


କି ସୁନ୍ଦର ତୁମ ରୂପ କାନ୍ତି ପ୍ରଭୁ

ତୁମେ ପାର୍ବତୀ ନନ୍ଦନ

ଏକ ଦନ୍ତ ତୁମ ଅତି ମନୋହର

ମୂଷିକ ତୁମ ବାହନ।


ତୁମରି ବୁଦ୍ଧିରେ ନିମିଷକେ ମଧେ

ବ୍ରହ୍ମାଣ୍ଡ ବୁଲି ଆସିଛ

ଏତିକି ମାଗୁଣି କରେ କୁନି ଦିଅଁ

ମଉନେ କିଆଁ ବସିଛ।


ସଂସାରୁ ଦୂରାଅ ଅଜ୍ଞାନ ଅନ୍ଧାର

ତୁମରି ଜ୍ଞାନଚକ୍ଷୁରେ

ମୋତେ ଟିକେ ପ୍ରଭୁ ଆଶ୍ରା ଦେଇଥିବ

ତୁମରି ପାଦ ପଦ୍ମରେ।


ସମ୍ପଦ କୁମାର ବେହେରା,ଶିକ୍ଷକ

ଝାଡଲିଙ୍ଗ, ଅସ୍ତରଙ୍ଗ, ପୁରୀ

Post a Comment

0 Comments