ଜ୍ଞାନର ମାଧୁରୀ ଆସ୍ଵାଦନ କରି
ଅଜ୍ଞାନ ପାଲଟେ ଜ୍ଞାନୀ
ହୃଦୟ କନ୍ଦରେ ବହି ଯାଏ ଧିରେ
ଜ୍ଞାନ ରୂପୀ ସୁରଧୁନୀ ।୧।
ଅଜ୍ଞାନ କଳୁଷ କାଳିମାର ଶେଷ
ହୁଏ ତାର ଫଳଶ୍ରୁତି
ଅଜ୍ଞାନତା ନିଶା ପାହି ଆସେ ଉଷା
ପ୍ରଜ୍ଞା ପାଟଳ ପ୍ରସୂତି ।୨।
ନବୀନ ଚେତନା କରେ
ଆନମନା
ଦିଶି ଯାଏ ନବ ଦିଶି
ତାକୁ ଅନୁସରି ସୁଦୂର ପ୍ରସାରୀ
ଭବିଷ୍ୟତ ଉଠେ ଭାସି ।୩।
ଜ୍ଞାନର ମାଧୁର୍ଯ୍ୟ ଦୟା କ୍ଷମା ଧୈର୍ଯ୍ୟ
ହୃଦୟେ କରେ ଉଦ୍ରେକ
ମାନବ ଅନ୍ତରେ ହୁଏ ଅଭିନବ
ଦେବତ୍ୱର ଅଭିଷେକ ।୪।
ହେ ଅମୃତ ପୁତ୍ର କର ଅହୋରାତ୍ର
ଜ୍ଞାନର ମଧୁ ସେବନ
ଜ୍ଞାନ ଦିବ୍ୟ ବ୍ରତ ପାଳନରେ ରତ
ସାର୍ଥକ କର ଜୀବନ ।୫।
ଜ୍ଞାନ ରଞ୍ଜନ ଦାଶ
ଉପ ସଭାପତି, ପ୍ରୀତି ପ୍ରଣତି।


0 Comments