ଜ୍ଞାନର ମଧୁ - ସୁଧାଂଶୁ ଶେଖର ମିଶ୍ର


 

ମଧୁ ଠାରୁ ମିଠା ସୁଧା ଠୁ ଅମୃତ

ମଧୁର ଜ୍ଞାନର ମଧୁ, 

ମନ୍ଥନରେ ଯାର ମଧୁରତା ବଢେ

ଜ୍ଞାନର ଅଥଳ ସିନ୍ଧୁ ।୧। 


ଗୁରୁଙ୍କ ଅଧର ଜ୍ଞାନର ଭଣ୍ଡାର

ଜ୍ଞାନ ମଧୁ ଝରେ ନିତି, 

ସେ ମଧୁ ସେବନେ ତୃପ୍ତ ହୁଏ ଆତ୍ମା

ହୃଦୟକୁ ମିଳେ ଶାନ୍ତି ।୨। 


ପ୍ରଥମ ଜ୍ଞାନର ସ୍ରଷ୍ଟା ଓ ପ୍ରଣେତା

ପୂଜ୍ୟ ଆମ ମାତାପିତା

ସେ ଜ୍ଞାନ ମଧୁର ପ୍ରତିଟି ବୁନ୍ଦାରେ

ଭରିଛି ଆନ୍ତରିକତା ।୩। 


ପରମାତ୍ମା ଧ୍ଯାନ ଜୀବନ ଦର୍ଶନ

ସାଂସାରିକ ମୂଲ୍ଯବୋଧ,

ଜ୍ଞାନର ମଧୁରେ ପ୍ରାଣ ପୁଲକିତ

ଦୂର କରେ ପ୍ରତିବନ୍ଧ ।୪। 


ଜ୍ଞାନର ମଧୁର ସୁବାସିତ ଗନ୍ଧ

ଚତୁର୍ଦ୍ଦିଗ ମହକାଏ,

ସୁଜ୍ଞାନୀ ଅଜ୍ଞାନୀ ଜନମାନସରେ

ଜ୍ଞାନାଲୋକ ଭରିଦିଏ ।୫। 


ଅଗାଧ ଏ ଜ୍ଞାନ ମହାସାଗରରୁ

ସାଉଁଟି ଜ୍ଞାନର ମଧୁ, 

ଦିବ୍ଯ ମଧୁରସ ସେବନେ ଅବଶ୍ଯ

ପାରି ହେବ ଭବସିନ୍ଧୁ ।୬। 


ଜ୍ଞାନ ମଧୁ ସ୍ବାଦ ଚାଖିଛି ଯିଏ ସେ

ସବୁଠାରୁ ଭାଗ୍ଯବାନ, 

ଧନ ଜନ ମାନ ସମ୍ମାନ ଠାରୁ ବି

ଜ୍ଞାନ ମଧୁ ମୂଲ୍ଯବାନ ।୭। 


ଶ୍ରୀ ସୁଧାଂଶୁ ଶେଖର ମିଶ୍ର

୩୫୨, ଲିଙ୍ଗରାଜ ନଗର, ଲେନ୍ ୯

ଭୂଵନେଶ୍ବର - ୭୫୧୦୦୨

ମୋ : ୯୪୩୭୦୨୫୭୦୦

Post a Comment

0 Comments