ସମୟ ହିଁ ସବୁ ପରିସ୍ଥିତିକୁ ସାମନା କରିଥାଏ l ସମୟ ବି ବୁଝିପାରିଥାଏ ସ୍ନେହର ମୂଲ୍ୟ l ଏକଦା ଗୋଟିଏ ଦ୍ୱୀପରେ ଦୁଃଖ, ସୁଖ, ଜ୍ଞାନ, ସ୍ନେହ ଓ ଗର୍ବ ପରି ସବୁ ପ୍ରକାର ଭାବନା ରହୁଥିଲେ । ଥରେ ଘୋଷଣା କରାଗଲା ଯେ, ଦ୍ୱୀପଟି ବୁଡ଼ିବାକୁ ଯାଉଛି । ତେଣୁ ସମସ୍ତେ ନିଜ ନିଜର ଡଙ୍ଗା ତିଆରି କରି ଯିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଲେ । କିନ୍ତୁ ସ୍ନେହ ହିଁ ଯିବାକୁ ଚାହିଁଲାନି । ସ୍ନେହ ଏକୁଟିଆ ରହିଗଲା । ଶେଷ ସମୟ ପର୍ଯ୍ୟନ୍ତ ସେ ସେଠାରେ ଅପେକ୍ଷା କରି ରହିଲା । ଯେତେବେଳେ ଦ୍ୱୀପଟି ପୂରା ବୁଡ଼ିଯିବାକୁ ଲାଗିଲା ସ୍ନେହ ଅନ୍ୟଠାରୁ ସାହାଯ୍ୟ ମାଗିଲା ।
ସେହି ସମୟରେ ଧନ ସେହି ବାଟରେ ଏକ ବଡ଼ ଡଙ୍ଗାରେ ଯାଉଥିଲା । ସ୍ନେହ ପଚାରିଲା, "ଧନ ତୁ ମୋତେ ତୋ' ସାଙ୍ଗରେ ନେବୁକି ?" କିନ୍ତୁ ଧନ ଉତ୍ତର ଦେଲା, "ମୋ ଡଙ୍ଗାରେ ବହୁତ ସୁନା, ରୂପା ରହିଛି । ତୋ' ପାଇଁ ଡଙ୍ଗାରେ ଜାଗା ନାହିଁ ।" ଏକ ସୁନ୍ଦର ନୌକାରେ ଗର୍ବ ସେହି ବାଟରେ ଯାଉଥାଏ । ସ୍ନେହ କହିଲା, "ଗର୍ବ ମୋତେ ଟିକେ ସାହାଯ୍ୟ କର ।" କିନ୍ତୁ ସେ ଉତ୍ତର ଦେଲା, "ମୁଁ ତୋତେ ସାହାଯ୍ୟ କରିପାରିବିନି ସ୍ନେହ ତୁ ପରା ଓଦା ହୋଇଯାଇଛୁ । ମୋ ଡଙ୍ଗା ତୋ' ପାଇଁ ବୁଡ଼ିଯିବ ।" ତା'ର ଖୁବ୍ ନିକଟ 'ଦୁଃଖ'କୁ ସେ ପଚାରିଲା, "ଦୁଃଖ ମୋତେ କେହି ସାହାଯ୍ୟ କରୁନାହାନ୍ତି, ତୁ ମୋତେ ସାଙ୍ଗରେ ନେବୁ ।" ଦୁଃଖ ବି ମନା କଲା ଓ କହିଲା, "ସ୍ନେହ, ମୁଁ ଏତେ ଦୁଃଖୀ ଅଛି ଯେ ଏକୁଟିଆ ଯିବାକୁ ଚାହୁଁଛି ।" ସେହି ସମୟରେ 'ଖୁସି' ସେହି ବାଟ ଦେଇ ଯାଉଥାଏ । ସେ ଏତେ ଖୁସି ଥାଏ ଯେ ସ୍ନେହ ତାକୁ ଯେତେ ଡାକିଲେ ବି ସେ କିଛି ବି ଶୁଣି ପାରିଲା ନାହିଁ ।
ସେହି ସମୟରେ ଜଣେ କେହି ଡାକିଲା, "ସ୍ନେହ ଆସ, ସ୍ନେହ ଆସ,ମୁଁ ତୁମକୁ ମୋ ସାଙ୍ଗରେ ନେଇଯିବି ।" ଖୁସିରେ ସ୍ନେହ ତା' ସାଙ୍ଗରେ ବସି ପଡ଼ିଲା । ସେ ରକ୍ଷା ପାଇବା ଖୁସିରେ ସେ ଏତେ ବିଭୋର ହୋଇଯାଇଥିଲା ଯେ, ତା'ଠାରୁ ବରିଷ୍ଠ ଏହି ବନ୍ଧୁ ଜଣକ କିଏ ବୋଲି ଜାଣିପାରିଲା ନାହିଁ । ସେହି ଅଜଣା ବନ୍ଧୁ ସ୍ନେହକୁ ଏକ ଶୁଖିଲା ଦ୍ୱୀପରେ ଛାଡ଼ି ଚାଲିଗଲା । ତେବେ କୃତଜ୍ଞତା ଜଣାଇବା ପାଇଁ ସେ ଆଉ ଜଣେ ବରିଷ୍ଠ ବନ୍ଧୁ ଜ୍ଞାନକୁ ପଚାରିଲା, "ମୋତେ ଯିଏ ଏଠାରେ ଛାଡି଼ଗଲେ ସିଏ କିଏ ?" ଜ୍ଞାନ କହିଲା, "ସେ ଥିଲା ସମୟ ।" ସ୍ନେହ ପଚାରିଲା, "ସମୟ କାହିଁକି ମୋତେ ସାହାଯ୍ୟ କଲା ?" ଜ୍ଞାନ ହସି ହସି କହିଲା, "କାରଣ ସମୟ ହିଁ ବୁଝିପାରେ ସ୍ନେହ କେତେ ମୂଲ୍ୟବାନ ।"
ଏହି ଗଳ୍ପରୁ ଶିକ୍ଷା ମିଳେ ଯେ, ସ୍ନେହ ଶବ୍ଦ ମଣିଷ ମଣିଷ ମଧ୍ୟରେ ସମ୍ପର୍କର ସମନ୍ୱୟ ରକ୍ଷା କରେ । ସମୟ ବୁଝିପାରେ ସ୍ନେହ କେତେ ମୂଲ୍ୟବାନ । ଜ୍ଞାନ ଆମକୁ ଏକଥା ଜଣାଇ ଦିଏ ।
- ଶ୍ରୀ ଅଶୋକ କୁମାର ନାୟକ
କେନ୍ଦୁଢି଼ପି, ନୟାଗଡ଼


0 Comments