ସମୟ - ଛବିରାଣୀ ପତି


 


ଜୀବନ ନୌକାରେ  ନାଉରୀ କିଏ !!!

ମୁଁ ସମୟ ....

ସୃଷ୍ଟିର ଆଦ୍ୟ ରେ ମୁଁ , ସୃଷ୍ଟିର ପ୍ରାନ୍ତରେ ବି ମୁଁ । ସବୁ ର ବିଲୟ ଅଛି ! ହେଲେ, ନାହିଁ ଯଦି କେବଳ ମୋର । ଦୁନିଆର ପ୍ରାୟ ସମସ୍ତଙ୍କ ଗତିପଥ ବନ୍ଦ ହୋଇଯାଇ ପାରେ !! ହେଲେ ମୋର ସବୁବେଳେ ଅବିରାମ ।  ମୁଁ ଚାଲୁଥିଲି , ଚାଲୁଛି ଆଉ ନିରନ୍ତର ଚାଲୁଥିବି ବାଧା ବନ୍ଧନର ବିନା କମା ଓ ପୂର୍ଣ୍ଣଛେଦ ରେ  । ବଡ ଆଶ୍ଚର୍ଯ୍ୟ କରେ ମୋତେ ... କାହିଁକି ଏତେ ଅପଲକ ନୟନରେ  ଏତେ ବ୍ୟାକୁଳତା ର ସହିତ ସବୁବେଳେ ସମସ୍ତେ ମୋତେ ହିଁ ଖୋଜନ୍ତି ! ମୁଁ କେବେ କାହାରିକୁ ଅପେକ୍ଷା କରେନି କି ଉପେକ୍ଷା ବି କରିନି । ମୋତେ ସମସ୍ତେ ଦେଖନ୍ତି , ମୁଁ କାହାରିକି ଦେଖେନା । ମୋର କେହି ନୁହନ୍ତି କିନ୍ତୁ ମୁଁ ଏଠି ସମସ୍ତଙ୍କର ।  ତଥାପି ସମସ୍ତଙ୍କ ପାଇଁ ସବୁ କ୍ଷେତ୍ରରେ ଦାୟୀ ଖାଲି ମୁଁ ଆଉ ମୁଁ .... କେବଳ ମୁଁ ।


    ଜନ୍ମ - ମୃତ୍ୟୁ ଏଠି ସବୁ ମୋ ଇଙ୍ଗିତରେ । ମୋର ହାତ ନାହିଁ ସତ ! ତଥାପି ,, ସ୍ୱାର୍ଥ ପୂରଣ ହେଲେ ଅବା ନହେଲେ ଭଲ ସମୟ ଓ ଖରାପ ସମୟ ର ଆଖ୍ୟା ଦେଇ ସଂସାର ର ପ୍ରତ୍ୟେକ ପ୍ରାଣୀ ମୋତେ ହିଁ ଦାୟୀ କରିଦିଅନ୍ତି । ଏ ବିଚିତ୍ର ମଣିଷ ସମାଜ ପ୍ରତେକ୍ କ୍ଷେତ୍ରରେ କାହିଁକି ଯେ ମୋତେ ଦୋଷୀ କରି ଛିଡା କରିଦିଅନ୍ତି ! ତାହା ପ୍ରକୃତରେ ମୋ କଳ୍ପନା ବାହାରେ । 

ଯଦିଓ ଗୀତା କହେ - 

" କର୍ମ କରିଯା' ଯେଝା ମତେ , ଫଳିବ ଭାଗ୍ୟର ଆୟତେ " । ତଥାପି ,, କେବେ ଘୋଡ଼ା ପିଠିରେ ତ ପୁଣି କେବେ ଗଧ ପିଠିରେ .... ମନସ୍ତତ୍ତ୍ୱରେ ମୁଁ ପୁଣି ସବାର୍ ହୁଏ ଏଇ ଛାର ମଣିଷ ଦ୍ଵାରା , ଯେମିତି ମୁଁ ଏମାନଙ୍କର ଜାଗିର !!!!   ଭାରି ହସ ଲାଗେ , କାହା ମୁଣ୍ଡରେ ହାତୀ ସୁନା କଳସ ଢାଳିଲା... ତ ମୁଁ କରେ ! ଆଉ କାହା ମୁଣ୍ଡ ଉପରେ ଶାଗୁଣା ଉଡ଼ିଲା...  ତ' ସେଇଟା ବି ମୁଁ ହିଁ କରେ !!


    ସବୁଠୁ ମଜାଦାର କିଛି ଚମତ୍କାର କଥା ବି କହିବି :: --- 

ମୋତେ ନେଇ ନାନାଦି ପୋଥି ପୁରାଣ । ଏଠି ସାବିତ୍ରୀ ର ରାତି ପାହେନି କି ପତି ମରେନି । ମୋତେ ନେଇ କବି ଲେଖେ କେତେ କେତେ କବିତା । ଜଣେ କେହି ଗୀତିକାର ଲେଖିଗଲେ - " ଏ ସମୟ ବୟସକୁ ମୋର ନେଲୁ ଚୋରେଇ " । ପୁଣି ମାଳିକା ଶାସ୍ତ୍ର ବି ଚାତକ ପରି ଚାହିଁ ରହିଛି ମୋରି ଆଡ଼କୁ ମୋରି ଡାକରାକୁ  । ମୋତେ ନେଇ ଇତିହାସ , ଭୂଗୋଳ ଓ ସାହିତ୍ୟ ଇତ୍ୟାଦି ର ସୃଷ୍ଟି  । " ପାଉଁଶ ତଳର ନିଆଁ ବି ମୁଁ  !!! ,, ପ୍ରେୟସୀ ଓଠ ର ଛୁଆଁ ବି ମୁଁ "  । କାଳ , ବିକାଳ , ତ୍ରିକାଳ... ସବୁ ଯୁଗରେ ମୁଁ । ଉଦୟ ଭାନୁର ସୁନେଲି କିରଣ ରେ ମୁଁ , ଅସ୍ଥିମିତ ସୂର୍ଯ୍ୟଙ୍କ  ବିକିରଣ ରଶ୍ମିରେ ବି ମୁଁ । ଇନ୍ଦ୍ରଧନୁ ର ସପ୍ତ ରଙ୍ଗରେ ଖେଳେ ଆଉ ବସନ୍ତର ଫୁଲ ଫଗୁଣ ଝୁଲଣ ରେ ଝୁଲି ମୁଁ ଖୁବ୍ ମଜା ବି ନିଏ ବୋଲି.... ଲୋକେ କୁହନ୍ତି । ଏଇ ଲୋକମାନେ ସଫଳତା ର ଶ୍ରେୟ ନିଜେ ସାଉଁଟି ନେଲାବେଳେ ମୋ ଉପରେ ଅକ୍ଲେଶରେ ଓଜାଡ଼ି ଦିଅନ୍ତି କୁଢ଼ କୁଢ଼ ରାଗ , ଅଭିମାନ , ଅଭିଯୋଗ  ଆଉ ପୁଳାପୂଳା ବୃଥା ନିନ୍ଦା ଅପବାଦ ର ବୋଝ  । ତଥାପି ,, ମୁଁ କେବେ କ୍ଳାନ୍ତ  କି   ଭାରାକ୍ରାନ୍ତ ହୁଏନି । ଏଇ ମଣିଷ ସମାଜ ବି ସମୟେ ସମୟେ ମୋ ଉପରେ ଅନନ୍ତ କୋଟି ବିଶ୍ୱାସ ରଖି ଆଉ ଭରସା କରି ମୋ ଅଦୃଶ୍ୟ ହାତରେ ସକଳ ଚିନ୍ତା ଚେତନାକୁ ସମର୍ପି ଶାନ୍ତିରେ ନିଶ୍ୱାସ ମାରି ନିଦ୍ରା ଯାଆନ୍ତି ।


     ମୁଁ ସେଇ ସମୟ , ଯିଏ ପ୍ରତି ମୁହୂର୍ତ୍ତରେ କଡ ଲେଉଟାଏ । ଚକାଭଉଁରି ପରି ଘିରିଘିରି ହୋଇ ବୁଲେ ଆଉ ବୁଲାଏ । ମୋତେ ନେଇ ଅତୀତ - ବର୍ତ୍ତମାନ ଆଉ ଭବିଷ୍ୟତ ର ଜନ୍ମ । ମୋତେ ନେଇ ଗ୍ରହ - ନକ୍ଷତ୍ର , ରାଶି ଚକ୍ର , ଦିନ - ରାତି , ଋତୁ , ବର୍ଷ ,ମାସ ଆଉ ପ୍ରତିଟି କ୍ଷଣ ।  " ସମୟ ବଡ ବଳବାନ " ବୋଲି କ୍ୟାଲେଣ୍ଡର , ପାଞ୍ଜି ପରି କେତେ କଣ ର ସୃଷ୍ଟି । ମୋ ସର୍ଜନାରେ ଜଗତ ଆଉ ଏ ଜଗତବାସି , ସଂସାର ଆଉ ସାଂସାରିକ ମୋହ ମାୟା ରେ ଆସକ୍ତ ଏ ମଣିଷ ସମାଜର ସ୍ଥିତି , ବସତି ଓ ବନ୍ଧନର ଉତ୍ପତ୍ତି ପୁଣି ପରିସମାପ୍ତି । ମୁଁ କିନ୍ତୁ ନିର୍ଗୁଣ - ନିରାକାର , ମୁଁ ନିଷ୍ଠୁର - କଠୋର , ମୁଁ ଅନନ୍ତ - ଅନାଦି , ମୁଁ ସୃଷ୍ଟି - ପ୍ରଳୟ , ମୁ ପଥ - ରଥ , ମୁଁ ରଥି - ସାରଥୀ , ମୁ ତ୍ରିଗୁଣାତୀତ ପବିତ୍ର ଶୁଦ୍ଧ ଦିଵ୍ୟାତ୍ମା .... """ମୁଁ ସମୟ "" । ବାକି ଏ ବିଶ୍ଵ ବ୍ରହ୍ମାଣ୍ଡ ପଦ୍ମପତ୍ରରେ ଟୋପାଏ ଜଳ ବିନ୍ଦୁ ପରି  ।।


ଶ୍ରୀମତୀ ଛବିରାଣୀ ପତି 

ମଧ୍ୟଶାସନ , ବିରିଡ଼ି 

ଜଗତସିଂହପୁର ।।

ଫୋନ -୯୩୩୭୯୬୦୦୬୦

Post a Comment

0 Comments