ତଥାଗତ କେବେ ବି ଅଭିମାନ କରିନି ସମୟ ଉପରେ । ଆଖି ଆଗରେ ତା'ର ସେଦିନର ସ୍ମୃତି ଅନେକ ଥର ନାଚିଯାଏ । ନିଜର ମାନସିକ ସନ୍ତୁଳନ ବହୁ କଷ୍ଟରେ ରକ୍ଷାକରି ଶୂନ୍ୟ ଆକାଶକୁ ଚାହିଁ ଖୋଜିବୁଲେ ସେହି ଲାଲ୍ ତାରାକୁ , ତା' ଭିତରେ ନାଚିଉଠେ ସୁନ୍ଦର ଗୋଲ୍ ମୁହଁଟି । ପୂର୍ଣ୍ଣିମାର ଉଜ୍ଜ୍ୱଳ ଚାନ୍ଦ ପରି ସେ ମୁହଁ , ଯାହାକୁ ଚାହିଁ ସେ ଭୁଲିଯାଉଥିଲା ସବୁକିଛି । ସେ ମୁହଁ ତା' ବୋଉର । ଜହ୍ନରାଇଜର ସେହି ଲାଲ୍ ତାରାଟି ତା' ହାତ ପାଆନ୍ତାକୁ ଚାଲି ଆସେ କେଇ ମୁହୂର୍ତ୍ତ ପାଇଁ । ସେ ଥିଲା କେଉଁ ଏକ ଆଷାଢର ମଧ୍ୟରାତ୍ରି । ଜେଜିମା' ଆସି ତାକୁ , ଖିରଖିଆ ସାନଭାଇକୁ ଧରି କାନ୍ଦିକାନ୍ଦି କୋଳରେ ଜାକି ଧରିଥିଲା , ଅଭୟ ଆଶ୍ରୟ ଦେଇ । ଆଠ ନଅ ବର୍ଷ ହୋଇଥାଏ ତାକୁ , ସାନଭାଇକୁ ଅଢେଇବର୍ଷ । ବୋଉ ବୋଧେ କ'ଣ ବାଧକ ପଡ଼ିଥିଲା ! ସେମାନେ ଏପଟେ ଦାଣ୍ଡଘରେ ଶୋଇଥିଲେ । ବଡଭାଇ ଏଗାର ବର୍ଷର ହୋଇଥିଲା । ସମସ୍ତେ ଭେମାରଡ଼ି ପକାଇଥିଲେ କିଛି ବୁଝି ନ ପାରି । ବାପା ଆଉ ସାନବାପା ପ୍ରଭୃତି ଡାକ୍ତର ବାବୁଙ୍କ ସାମ୍ନାରେ ଦାରୁଭୂତ ପରି ଠିଆହୋଇଥିଲେ । ପଡ଼ିଶା ଘର ବଡ଼ମା' , ଖୁଡ଼ି ପ୍ରଭୃତି ବୋଉ ପାଖରେ । ତଥାଗତ ଧାଇଁଯାଇଥିଲା ବୋଉ ଶୋଇଥିବା ଘର ଆଡକୁ ଭିଡ଼ ଠେଲି ଠେଲି । ବୋଉ ଶୋଇଥିଲା , ତା' ମଥାରେ ସିନ୍ଦୁର ସେଦିନ ଅଧିକ ଦାଉ ଦାଉ ହୋଇ ଜଳୁଥିଲା ; ସତେ ଯେମିତି ଅହ୍ୟ ସୁଲକ୍ଷଣୀ ହୋଇ ଏ ଜଗତ ଛାଡ଼ି ଚାଲିଯାଇଥିବାର ଏକ ପ୍ରଶାନ୍ତିରେ ଚୁପ୍ ଚାପ୍ ଶୋଇଯାଇଥିଲା । ସେଦିନର ସେହି କାଳରାତ୍ରି ତଥାଗତକୁ ସିନା ମା' ଛେଉଣ୍ଡ ହେବାକୁ ବାଧ୍ୟ କରିଥିଲା , ହେଲେ ମାତୃସ୍ନେହରୁ ତାକୁ ବଞ୍ଚିତ କରିପାରି ନ ଥିଲା । ଜେଜିମା' , ପିଉସୀ , ବଡ଼ମା' , ଖୁଡ଼ୀମାନଙ୍କ ସଂକଳ୍ପବଦ୍ଧ ସ୍ନେହର ବର୍ଷାରେ ଭିଜୁ ଭିଜୁ ସେ ଆକ୍ତାମାକ୍ତା ହୋଇପଡ଼ିଛି ; ସେ ଏକା କାହିଁକି , ବଡ଼ ସାନ ଦୁଇଭାଇ ଯାକ ବି ବୋଉର ଅଭାବ କ'ଣ ଜାଣି ପାରିନାହାନ୍ତି । ସମୟର ଆବର୍ତ୍ତରେ ଅନେକ ପ୍ରତିକୂଳତା ସତ୍ତ୍ୱେ ସେମାନଙ୍କୁ ହାରିଯିବାକୁ ଦେଇ ନଥିଲେ ବାପା , ବଡ଼ବାପା , ଜେଜେବାପା ପ୍ରଭୃତି । ସାଇପଡ଼ିଶାରୁ ମଧ୍ୟ ସର୍ବଦା ଛୁଟି ଆସିଛି ସ୍ନେହର ନିର୍ଝର । ସେ ସ୍ନେହରେ ସେ ଆଜି ବି ଆପ୍ଳୁତ , କୃତଜ୍ଞ , ବିନୀତ । ରକ୍ଷାକର୍ତ୍ତ୍ରୀ ମା' ଦୁର୍ଗାଙ୍କ ମନ୍ଦିର ଆଗରେ ତାଙ୍କ ଘର । ମା' ମହିଷମର୍ଦ୍ଦିନୀ ଦଶଭୁଜା । ଅପାର ତାଙ୍କ ମହିମା । ବିପଦ ଆସିଲେ ତଥାଗତ ମା'ଙ୍କୁ ସ୍ମରଣ କରେ । ଆଜି ସମୟର ଚିର ପ୍ରବହମାନ ସ୍ରୋତରେ ଭାସିଗଲେଣି ଜେଜିମା' , ଜେଜେବାପା , ବଡ଼ବାପା , ବାପା ପ୍ରଭୃତି । ନିଃଶ୍ୱାସକୁ ବା କି ବିଶ୍ୱାସ ! ଜୀବନଯୁଦ୍ଧରେ ଅନେକ ସଂଘର୍ଷ ପରେ ସବୁ ଭାଇ ଆଜି ପ୍ରତିଷ୍ଠିତ । ପ୍ରତ୍ୟେକ ଆନନ୍ଦ ଉଲ୍ଲାସମୟ ଆବେଗପୂର୍ଣ୍ଣ ବାତାବରଣରେ ମନେପଡ଼ନ୍ତି ସେମାନେ । ବୋଉ ବୋଲି ଯେଉଁ ତାରାଟିକୁ ତଥାଗତ ପିଲାଦିନୁଁ ଦେଖି ଚାଲିଛି , ତା' ଉପର ଆକାଶରେ ଦେଖେ ସେମାନଙ୍କୁ । ଆଜି ୪୫ବର୍ଷ ପରେ ବି ସେ ସେମିତି ; ମନରେ କିଛି ଆଘାତ ପାଇଲେ ବୋଉକୁ ଖୋଜେ , ସାହସ ଜୁଟାଇବାକୁ ବାପାଙ୍କ ଦୃଢ ଆଶ୍ୱାସନାକୁ ମନେପକାଏ , ପୁଣି ମନେ ପକାଏ ବଡ଼ବାପାଙ୍କ ତ୍ୟାଗପୂତ ଜୀବନଶୈଳୀକୁ ଆଉ ଜେଜେବାପାଙ୍କ କାଉଁରିଆକାଠି ପରି ନଇଁ ନ ଶିଖିଥିବା ପୁରୁଷାକାରକୁ । ବହୁତ ଭଲପାଉଥିଲା ସେ ଜେଜେଙ୍କୁ । ଯେତେବଡ଼ ସମସ୍ୟା ଆସିଲେ ମଧ୍ୟ ସେ ପରାସ୍ତ ହେବା ଶିଖି ନଥିଲେ । ଚାରିପୁଅଙ୍କୁ ମଣିଷ କରି ମଧ୍ୟ କାହା ନିକଟରୁ କିଛି ଆଶା କରି ନଥିଲେ । ଅଣ୍ଟା ନୁଆଁ ଅଶୀ ବରଷର ବୁଢା ମଣିଷ ହେଲେ ବି ନିଜର ସ୍ୱାଭିମାନ ଛାଡି ପାରି ନଥିଲେ ଶେଷ ପର୍ଯ୍ୟନ୍ତ ।କାହାକୁ ହରକତ ନ କରି ମାତ୍ର ଦୁଇଦିନର ଦେହ ଖରାପରେ ଆଖି ବୁଜିଥିଲେ ସେ । ସମୟ ତଥାଗତଠାରୁ ସିନା ସେମାନଙ୍କୁ ଛଡ଼େଇ ନେଇଛି , ହେଲେ ପ୍ରତିଟି ଦୁର୍ବଳ ମୁହୂର୍ତ୍ତରେ ପୁଣି ସଳଖି ଠିଆ କରାଇ ନୂଆ ସମୟରେ ଅସରନ୍ତି ଖୁସି ଆଣିଦେଇଛି । ଆଜି ହଷ୍ଟେଲ୍ ରୁ ଝିଅ ଆସିବ , ବୋଉର ମୁହଁ ପରି ତା' ମୁହଁ .. ତା' ଓଠର କଥାଶୁଣି ଲାଗେ ବୋଉ କହୁଛି ।ସେ ଥିଲେ ଦିନେ ଦିନେ ସକାଳୁ ତରବରରେ ଉଚ୍ଚ ରକ୍ତଚାପ ଔଷଧ ନ ଖାଇ ବାହାରକୁ କାମରେ ବାହାରିଗଲେ ମନେ ପକାଇଦିଏ ତା' ମା' କହିବା ଆଗରୁ । ତଥାଗତ ଭାବେ ସମୟ ସିନା ସେଦିନ ତା' ଖୁସି ଛଡ଼ାଇ ନେଇଥିଲା , ସେହି ସମୟ ତ ଦେଇଛି ଆଜିର ପରିଚୟ ; ଦୁନିଆ ଦାଣ୍ଡରେ ମଥାଟେକି ଚାଲିବାର ସମ୍ମାନାସ୍ପଦ କର୍ତ୍ତବ୍ଯର ଆନନ୍ଦମୟ ଅସରନ୍ତି ବିଭବ , ପୁଣି ସ୍ନେହମୟୀ ସହଧର୍ମିଣୀ ଓ ସତେଜ ଗୋଲାପ ପରି ହସହସ ବୋଉର ମୁହଁ , ତା' ଝିଅ ରୂପେ । ଭାଇବନ୍ଧୁ ସଖା ସହୋଦର ସବୁତ ସମୟର ଦାନ । ତଥାଗତ ପ୍ରୀତିଭରା ପ୍ରଣତି ଢାଳୁଥିଲା ; ସତରେ ଧନ୍ୟ ତୁମେ ସମୟ , ତୁମ ଆଗେ ତୁଚ୍ଛ ଏ ଜୀବନର ଅଳିକ ସମ୍ପଦର ମୋହ ।
--------------- ୦୦୦ ----------------
ଉମେଶ ଚନ୍ଦ୍ର ପାତ୍ର
ଛତିଆ , ଯାଜପୁର
ମୋ - ୯୮୫୩୫୮୯୪୩୨


0 Comments