ମୋ ସ୍ରୋତ ଅବିଶ୍ରାନ୍ତ। କାହିଁକି ନା ମୁଁ "ସମୟ" ।
ମୁଁ ଏକ ସ୍ଥାୟୀ ପ୍ରାଚୀର - ମୁହୂର୍ତ୍ତର ଏପଟେ ଆଉ ସେପଟେ।
ଠିକଣା ମୁହୂର୍ତ୍ତ ଉପନୀତ ନ ହେଲେ କେହି ଏହାକୁ ଲଂଘି ପାରିବେ ନାହିଁ। ମୋର ମୂଲ୍ଯ ଯିଏ ନ ବୁଝିଛି, ସେ ଜୀବନରେ ନିଶ୍ଚିତ ହାରି ଯାଇଛି ବୋଲି କହିଲେ ଅତ୍ଯୁକ୍ତି ହେବନାହିଁ। ଜୀବନ ଗଠନ, ବିଦ୍ଯା ଆହରଣ ତଥା ସଂସାର ଗଢିବା ପଛରେ ମୁଁ ହିଁ ଠିଆ ହୁଏ। ଯିଏ ମୋର ଠିକଣା ଉପଯୋଗ କରିପାରେ ସେ ସଫଳ ହୁଏ।
ବୟସ ମୋତେ ଚୋରାଇ ନେଇପାରେ। ଶୈଶବରେ ମୁଁ ପିତାମାତାଙ୍କ ନିୟନ୍ତ୍ରଣରେ ମାତ୍ର ଯୁବାବସ୍ଥାରେ ମୁଁ ପରିବାର ନିୟନ୍ତ୍ରଣରେ । ହେଲେ ବୟସର ଅପରାହ୍ନରେ ମୁଁ ଏମିତି ଆସି ଚାଲି ଯାଏ, କେତେବେଳେ ସୁଖ, କେତେବେଳେ ବ୍ଯାଧି, କେତେବେଳେ କଷ୍ଟ ଓ ଯାତନା, କେତେବେଳେ ଚିନ୍ତା ଓ ଚେତନା ଆଉ କେତେବେଳେ ଆରାଧନା। ଏମିତି ଅତିବାହିତ ହୋଇଯାଏ ମୁଁ। କେହି ମୋତେ ଅଟକାଇ ପାରେ ନି। ଶେଷରେ ମୁଁ ଆସେ ଜୀବନର ଅନ୍ତ ହୋଇ। ସବୁ ସେମିତି ରହିଯାଏ କିନ୍ତୁ ମୁଁ ଆସି ଚାଲିଯାଏ ଓ ପୁଣି ଆସେ। ଏମିତି ମୁଁ ମୁହୂର୍ତ୍ତ, ଦିନ, ମାସ, ବର୍ଷ ହୋଇ କାଳକାଳ ଯାଏ ଏ ବ୍ରହ୍ମାଣ୍ତରେ ରହିଛି ଓ ରହିଥିବି। ସେଥିପାଇଁ ତ ମୁଁ ସମୟ - ନା ଥୟ ନା ଅଥୟ। ମୁଁ ସମୟ।
ଶ୍ରୀ ସୁଧାଂଶୁ ଶେଖର ମିଶ୍ର
ଲିଙ୍ଗରାଜ ନଗର, ଲେନ୍ ୯
ଭୁବନେଶ୍ୱର-୨


0 Comments