କର୍ଦ୍ଦମାକ୍ତ ପଥ ଅବା କଣ୍ଟକିତ
ତଥାପି ଚାଲିଛି ମୁହିଁ
ଆଜିବି ଜୀବନେ ସଂଘର୍ଷ କରୁଛି
କେବେ ଥକି ପଡ଼ି ନାହିଁ ।
ବାଳୁତ ମୁଣ୍ଡରେ ସଂସାରର ବୋଝ
କେମିତି ପାରୁଛି ବୋହି..?
ଝଡ଼ ଝଞ୍ଜା କେତେ ସହ୍ୟ କରୁଅଛ
ଲୁଚି ଦେଖୁଛନ୍ତି ବିହି ।
ନିରୀହ ନିଷ୍ପାପ ସରଳ ମାନସେ
ଅସୁମାରୀ ସ୍ଵପ୍ନ ଦେଖି
ଘର କୋଣେ ବସି କେବେ କେବେ ମୁହିଁ
ଲୁହରେ ଭିଜାଏ ଆଖି ।
ଭାବନା ମୋହର ଟିକି ପକ୍ଷୀ ପରି
ଉଡ଼େ ମୁକ୍ତ ଗଗନରେ
ଉଦରର ଜ୍ଵାଳା ଅକୁହା ଆବେଗ
ପ୍ରତି ମୁହୂର୍ତ୍ତରେ ମାରେ ।
ଅଭାବ ପାହାଡ଼େ ଠିଆ ହୋଇ ଦେଖେ
ଆନନ୍ଦର ପୟଧାରା
ତୃଷ୍ଣା ମେଣ୍ଟେ ନାହିଁ ବିତୃଷ୍ଣା ମନରେ
ଜୀବନ ଲାଗେ ଅଧୁରା ।
-ରୋହିତ ସେଠୀ,
ଖଜୁରୀପଡା,କନ୍ଧମାଳ


0 Comments