ଜୀବନର ଏହି ନୈରାଶ୍ୟ ପଥରେ
କେବେ ଖରା କେବେ ଛାଇ
ପେଟକୁ ଦାନା ତା ସାଉଁଟି ସାଉଁଟି
ଅନ୍ଧାର ଘୋଟି ଆସଇ ।।
ଦିନ ଯାଏ ବିତି ବାର ଦ୍ୱାରେ ବୁଲି
ଅବା ରାଜରାସ୍ତା ପରେ
ଛାତିର କୋହକୁ ଛାତିରେ ଜାବୁଡ଼ି
ଧର୍ଯ୍ୟର ନାବକୁ ଧରେ ।।
ଜୀବନ ଗତି ତା ଅମା ଅନ୍ଧକାରେ
ଦୁଃଖ କଷ୍ଟକୁ ଆଦରି
ଖାଲ ଢିପ ପଥ ଫରକ ପଡେନି
ମୁଣ୍ଡରେ ବୋଝକୁ ଧରି ।।
ପେଟେନାହିଁ ଦାନା ଦେହେ ଛିଣ୍ଡା କନା
ନାହିଁ ଚପଲ ତା ପାଦେ
ଗୋଟେ ହାତେ ଚୁଡ଼ି ଆର ହାତ ଶୂନ୍ୟ
ଏମିତି ଜୀବନ ବିତେ ।।
ଧୂଳି ମାଟି ଗୋଡି ବହୁ ଚୋରି ଖେଳ
ବୟସ ଏବେ ଚାଲୁଛି
କଅଁଳ ବୟସେ ଦୁଃଖର ଭାରକୁ
ଆଦରି ସେ ନେଇଅଛି ।।
ପିତୃ ମାତୃ ହରା ଅନାଥ ବାଳିକା
କେଉଁଠି ଘର ଠିକଣା
ଅଦମ୍ୟ ସାହସ ବିଶ୍ୱାସ ବାନ୍ଧି ସେ
ନ ହୁଅଇ ବାଟ ବଣା ।।
ମୁକୁଳା ଆକାଶ ତାର ମୁକ ସାକ୍ଷୀ
ମେଣ୍ଟେ ଜୀବନର ତୃଷ୍ଣା
ଆତ୍ମୀୟ ସଦୋର ବିଦ୍ୟାଳୟ ସାଥୀ
କେହିତା ନାହିଁ ଭରଷା ।।
************************
ଅନସୂୟା ମଲ୍ଲିକ
ପ୍ରଧାନ ଶିକ୍ଷୟିତ୍ରୀ
ଯାଜପୁର


0 Comments