ଜୀବନ ପାହାଚ
ଚଢିବା ଆଗରୁ
ଦୁଃଖର ସମ୍ଭାର ନେଇ,
ବାହାରକୁ ଗୋଡ
କାଢିଛି ଖାଲିତ
ପେଟକୁ ପୋଷିବା ପାଇଁ ||
ପିନ୍ଧିବାକୁ ନାହିଁ
ଜାମା ଖଣ୍ଡେ ମୋର
ଚପଲ କାହୁଁ ଆଣିବି,
କାଦୁଅ ରାସ୍ତାରେ
ଚାଲିଯାଏ ମୁହିଁ
ଜୀବିକା ପାଇଁ ଲଢ଼ିବି ||
ମୋ ଭାଗ୍ୟରେ ନାହିଁ
ମାଆର ମମତା
ବାପାଙ୍କ ସ୍ନେହଁ ଶାସନ,
ନାହିଁ କେହି ଦୁଃଖ
ଶୁଣିବାକୁ ମୋର
କୁଟୁମ୍ବ କି ପରିଜନ ||
ଝିଅଟିଏ ବୋଲି
ଡରଲାଗେ ମତେ
ମଣିଷଖିଆ ବାଘଙ୍କୁ,
କରମ ତ ଛୋଟ
ପେଟ ପାଇଁ ଖଟେ
କହିବି ଆଉ କାହାକୁ ||
ପାଠପଢ଼ା ଆଉ
ଚାଟଶାଳୀ ମୋର
ସ୍ୱପ୍ନରୁ ବହୁତ ଦୂର,
ତଥାପି ଡ଼ରିନି
ନିଜ ଗୋଡ଼େ ମୁହିଁ
ହେଉଛି ଛିଡା ଏଥର ||
ଖେଳନା ବିକୁଛି
ଗଛ ଲଗାଉଛି
କରେ ମୁହିଁ କେତେକାମ,
ଛୋଟ ବୋଲି ମତେ
ଭାବ ନାହିଁ ଜମା
ସଚ୍ଚୋଟ ମୋହରି ମନ ||
ହାତପାତି ନାହିଁ
କାହା ଆଗେ ମୁହିଁ
ନୁହେଁ ମୁଁ ଜମା ଦୁର୍ବଳ,
କାଳିଆ ସାଆନ୍ତେ
ଦେଉଥାଅ ମତେ
ତୁମ ଆଶ୍ରିର୍ବାଦ ବଳ ||
ଶ୍ରୀମତୀ ସ୍ଵାଗତିକା ସାହୁ
ଅଧ୍ୟାପିକା
ତୁମୁଡିବନ୍ଧ
କନ୍ଧମାଳ


0 Comments