ଶିଶୁ ଭଗବାନ ରୂପ,
କେବେ କେବେ ପରିସ୍ଥିତି ଦାସ ହୁଏ
ଶ୍ରମେ ପାଏ ଅଭିଶାପ l
ପାଠପଢ଼ା ହୁଏ ତା' ପାଇଁ ସପନ
କଲମ ନ ଧରିପାରେ,
ସଲାମ କରେ ସେ ବାବୁମାନଙ୍କୁ ହିଁ
ଧ୍ୟାନ ସତେ ଖଟିବାରେ !
ନିଃସହାୟ ଶିଶୁ ଜୀବନ ତାହାର
ଦୁଃଖ ଭାର ବୋହିଥାଏ,
ସରକାରଙ୍କର ସହସ୍ର ଯୋଜନା
ସୁଯୋଗୁ ବଞ୍ଚିତ ସିଏ !
ସମୟ ସ୍ରୋତରେ ସାଜଇ ଶ୍ରମିକ
ପୁଣି କରେ ଭିକ୍ଷା ବୃତ୍ତି,
ପରିସ୍ଥିତି ହୁଏ ଦୁଃଖେ ମାଗିବାକୁ
ପଶିଥାଏ ଗଳିକନ୍ଦି l
ବାଧ୍ୟ ବାଧକତାରେ ଏ ଦେଶ ଶିଶୁ
କରିଥାଏ ଏହି କାମ,
ଦେଶର ସମୃଦ୍ଧ ହେବ ନାହିଁ ତେବେ
ସଂଘର୍ଷ ହେଲେ ଜୀବନ l
ତେଣୁ ଶିଶୁ ପରି କଅଁଳ କଳିକୁ
ପୟରେ ଦଳି ନ ଦିଅ,
ପ୍ରସ୍ଫୁଟିତ ସହ ସୁବାସିତ ହୋଇ
ଚହଟିବ ମହମହ l
ଶିଶୁ ଶ୍ରମିକର ଏହି ସମସ୍ୟାକୁ
ନ କରିଲେ ସମାଧାନ,
ଦେଶର ଭବିଷ୍ୟ ଅନ୍ଧକାର ହେବ
ଅଧା ରହିଯିବ ସ୍ବପ୍ନ l
ବାପା ମାଆ ତା' ଥାଆନ୍ତି ଅଶିକ୍ଷିତ
ଖଟି ଖଟି ଦିନ ଯାଏ,
ଶିଶୁ କନ୍ୟା ପୁଣି ଜୀବନ ସଂଘର୍ଷେ
ସ୍ବପ୍ନ ତା'ମିଳେଇ ଥାଏ l
କେତେ ଯେ ନିରୀହ ଶିଶୁଟିଏ ସିଏ
ମୁଣ୍ଡେଇ ଦ୍ରବ୍ୟକୁ ବୁହେ,
ଭୋକ ଓ ଦାରିଦ୍ର୍ୟ ତା'ର ସହଚର
ମାନସିକ ଦୁଃଖ ସହେ l
ଆଖିରୁ ଝରେ ତା'ଅଶ୍ରୁ ଧାର ଧାର
ଭୋକ ଉପାସରେ ରହେ,
ରାସ୍ତା କେତେ ବୁଲି ଭିକ ମାଗି ମାଗି
ବିଶ୍ୱାସେ ହାତ ପତାଏ l
ନିଃସହାୟ ଶିଶୁ ବଳି ପଡ଼େ ଆଜି
କର୍ତ୍ତବ୍ୟର ଦ୍ୱାହି ଦେଇ,
ଫୁଟିବl ଆଗରୁ ଝରିପଡ଼େ ସେ ହିଁ
ପ୍ରସ୍ଫୁଟିତ ହୁଏ ନାହିଁ l
କେତେବେଳେ ତା'ର ମୁଣ୍ଡରେ ବୋଝେଇ
ପୁଣି ସେ ମାଜେ ବାସନ,
ଆଉ କେତେବେଳେ ଅଇଁଠା ଗୋଟାଏ
ରାସ୍ତାରେ ଖଟେ ଦାଦନ l
ଅର୍ଥର ଅଭାବ ସାଜଇ ବାଧକ
ଶିଶୁର ଯେ ଚଲାପଥେ,
ପେଟ ଖଣ୍ଡେ ପାଇଁ ବୁଲେ ବାର ଦ୍ୱାର
ଅନ୍ୟ ଆଗେ ହାତ ପାତେ l
ଶିଶୁ ଶ୍ରମିକ ହିଁ ସମାଜକୁ ନିନ୍ଦା
ଜୀବନେ ଯାତନା ପାଏ,
ଶିଶୁ ଅଧିକାର ଆଇନ ଥାଇ ବି
କ୍ଳେଶ ସହିବାକୁ ହୁଏ l
- ଶ୍ରୀ ଅଶୋକ କୁମାର ନାୟକ
କେନ୍ଦୁଢ଼ିପି, ନୟାଗଡ଼


0 Comments