ଜୀବନର ସତ୍ଯ - ଶ୍ରୀ ସୁଧାଂଶୁ ଶେଖର ମିଶ୍ର


      


ପ୍ରଗତିର ମାନଦଣ୍ଡ 

ଜଣାନାହିଁ ମୋତେ, 

ଉନ୍ନତିର ପରିସୀମା

ମାପିନି ମୁଁ କେତେ ।୧। 


ବାଟଘାଟ ମାନେ କିଛି

ବୁଝି ମୁଁ ପାରେନି, 

ଆଲୁଅ ଅନ୍ଧାର କିଛି

ଅନୁଭବ କରେନି ।୨। 


ଭଲ କ'ଣ ମନ୍ଦ କ'ଣ

ଏ ଯାଏଁ ମୁଁ ଜାଣିନି, 

ଖଟିଲେ ମୋ ପେଟ ପୁରେ

ଦୁଃଖ ଯମା ଲାଗେନି ।୩। 


ମାଟି କାଦୁଅ ରାସ୍ତାରେ

ଗୋଡ ମୋର ଖସେନି,

ପକ୍କା ରାଜରାସ୍ତାର ବି

ସ୍ବପ୍ନ କେବେ ଦେଖିନି ।୪। 


ମୁଣ୍ଡରେ ଗଣ୍ଠିଲି ଧରି

ଚାଲିବାଟା ବାଧେନି, 

ଗାଡିମଟର ଚଢିବି

ଆଶା କେବେ ରଖିନି ।୫। 


ରାସ୍ତା କଣ୍ଟା ପଥରକୁ

ଡର କେବେ ଲାଗେନି, 

ପାଦରେ ଚପଲ କେବେ

ପିନ୍ଧିଛି ମୁଁ ଜାଣିନି ।୬। 


ଚିରା ଫଟା ପିନ୍ଧିଲେ ବି

ଲାଜ କେବେ ମାଡେନି,

ଲଜ୍ଯା ନିବାରଣ ହେଉ

ଅଧିକା ମୁଁ ଚାହେଁନି ।୭। 


କୋଠାଘର ଦେଖିଲେ ବି

ବ୍ଯାକୁଳ ମୁଁ ହୁଏନି, 

ଝୁମ୍ପୁଡିରେ ସ୍ବର୍ଗ ମୋର

ମହଲ ମୁଁ ଚାହେଁନି  ।। 


ଛୋଟରୁ ବୁଝି ନେଇଛି

ଜୀବନର ସତ୍ଯକୁ, 

ନୀରିହ ବାଳିକା ମୁହିଁ

କହିବି ବା କାହାକୁ  ।। 


 ଶ୍ରୀ ସୁଧାଂଶୁ ଶେଖର ମିଶ୍ର

            ଲିଙ୍ଗରାଜ ନଗର, ଲେନ୍ ୯

            ଭୁବନେଶ୍ୱର-୨

Post a Comment

0 Comments